ନୂଆଦିଲ୍ଲୀ: ଏଠି ଭଡ଼ାରେ ମିଳନ୍ତି ପ୍ରେମିକ-ପ୍ରେମିକା । ଯଦି ଆପଣ ଏକା ଅଛନ୍ତି, ତାହାହେଲେ କିଛି ଟଙ୍କା ଦେଇ ଭଡ଼ାରେ ପାଇପାରିବେ ପ୍ରେମିକ,ପ୍ରେମିକା । ବିନା କୌଣସି ଚୁକ୍ତିନାମାରେ ଅତି ସହଜରେ ପାଇପାରିବେ ପ୍ରେମିକ-ପ୍ରେମିକା । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ହେଲେ ଘଟଣାଟି ସତ । ଆସନ୍ତୁ ଜାଣିବା କେଉଁଠି ମିଳୁଛନ୍ତି ଭଡ଼ାରେ ପ୍ରେମିକ-ପ୍ରେମିକା ।
ଏବେ ଚାଲିଛି ସାରା ରାଜ୍ୟରେ ଭ୍ୟାଲେଣ୍ଟାଇନ୍ ସପ୍ତାହ। ଫେବ୍ରୁଆରି ୧୪, ଭାଲେଣ୍ଟାଇନ୍ ଡେର ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ଏହି ସ୍ୱତନ୍ତ୍ର ଦିବସ ପାଳନ। ରୋଜ ଡେ, ପ୍ରପୋଜ ଡେ, ଚକୋଲେଟ୍ ଡେ, ଟେଡ଼ି ଡେ, ପ୍ରମିଜ୍ ଡେ, ହଗ୍ ଡେ, କିସ୍ ଡେ ଏବଂ ଶେଷରେ ରହିଥାଏ ଭାଲେଣ୍ଟାଇନ୍ ଡେ। ଏହା ପ୍ରେମର ସପ୍ତାହ ହୋଇଥିବାରୁ ସମସ୍ତେ ନିଜ ପାର୍ଟନରଙ୍କ ସହ ସମୟ ବିତାଉଛନ୍ତି, ଉପହାର ଦେଉଛନ୍ତି। ଖାସକରି ଯୁବପିଢ଼ି ଓ ନବବିବାହିତାଙ୍କ ମଧ୍ୟରେ ରହିଛି ଏହି ଦିନ ଗୁଡିକୁ ପାଳିବାର ଉତ୍କଣ୍ଠା। ଗତକିଛି ବର୍ଷ ହେବ କେବଳ ପ୍ରେମୀଯୁଗଳ ନୁହନ୍ତି, ବାପା, ମା’, ଭାଇ, ଭଉଣୀ ଓ ଆତ୍ମୀୟ ସ୍ୱଜନଙ୍କ ସହ ମଧ୍ୟ ମିଶି ଏହି ଦିନକୁ ପାଳନ କରାଯାଉଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ନିଜ ପ୍ରିୟଜନଙ୍କ ସହ କିଛି ମୂହୁର୍ତ୍ତ ବିତାଇବା ପାଇଁ କିଏ ପାର୍କ ଓ ସିନେମା ଯାଏ ତ କିଏ ଗିଫ୍ଟ ଓ କାର୍ଡ ଦେଇ ଏହି ଦିନକୁ ପାଳିଥାଏ।
ଆମର ପଡ଼ୋଶୀ ଦେଶ ଚାଇନା, ଜାପାନ, ଭିଏତନାମରେ ମିଳୁଛି ଏହି ସୁବିଧା । ଯୁବକମାନେ କିଛି ଟଙ୍କା ଦେଇ ଭଡ଼ାରେ ପ୍ରେମିକା ଆଣିପାରବେ। ସେହିଭଳି ଯୁବତୀମାନେ ମଧ୍ୟ କିଛି ଟଙ୍କା ଦେଇ ନିଜ ପାଇଁ ପ୍ରେମିକ ଆଣିପାରିବେ। ତାହା ପୁଣି ବିନା କୌଣସି ଚୁକ୍ତିନାମାରେ । ୨୦୧୮ରୁ ଚାଇନାରେ ପ୍ରେମିକ-ପ୍ରେମିକା ଭଡ଼ାରେ ରଖିବା ପରମ୍ପରା ଚାଲି ଆସୁଛି। ସେତେବେଳେ ୨୦ ମିନିଟ୍ ସେବା ଲାଗି ଲୋକଙ୍କୁ ୧୦ ହଜାର ଖର୍ଚ୍ଚ କରିବାକୁ ପଡ଼ୁଥିଲା। ବିଶେଷକରି ଶପିଂ ମଲ୍ରେ ଏହି ସେବା ଦିଆଯାଉଥିଲା। ଏମିତି କି ପ୍ରେମିକାଙ୍କୁ ନିଜ ସହ ନେଇପାରିବ, ତାଙ୍କ ସହ ଦୂରରୁ କଥା ହୋଇପାରିବ ବୋଲି ନିୟମ ରହିଥିଲା। ହେଲେ ଏବେ ସବୁକିଛି ବଦଳିଛି। ପ୍ରେମିକାଙ୍କ ସହ ଖାଇବା-ପିଇବା, ବୁଲିବାକୁ ଯିବା ଆଦି କରିପାରିବେ। ଯେଉଁଭଳି ପ୍ୟାକେଜ୍ ଆପଣ ନେବେ ସେଭଳି ଭାବେ ମୂଲ୍ୟ ଦେବାକୁ ପଡ଼ିଥାଏ । ଏହି ସେବା ନେବା ପରେ ତାଙ୍କୁ ଛାଡ଼ିପାରିବେ।