ନୂଆଦିଲ୍ଲୀ: ଭାରତର କୋଟିପତି ତଥା ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଆମେରିକା । ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି । କଣ୍ଟ୍ରାକ୍ଟ ପାଇବା ଏବଂ ଏହାକୁ ଲୁଚାଇବା ପାଇଁ ସେ ୨୬୫ ମିଲିୟନ ଡଲାର ବା ୨୨୩୬ କୋଟି ଟଙ୍କା ଲାଞ୍ଚ ଦେଇଥିବାର ଅଭିଯୋଗ ହୋଇଛି। ଏନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ମାମଲା ପୂରା ଆଦାନୀ ଗ୍ରୁପ୍ କମ୍ପାନି ଏବଂ ଆଦାମୀ ଗ୍ରୁପ୍ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ। ଏହି ଘଟଣା ପରେ ଆଦାନୀ ଗ୍ରୁପ ଶେୟାରରେ ବହୁତ ହ୍ରାସ ଘଟିଛି। ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ରୀନ ଏନର୍ଜି ଏବଂ ଆଦାନୀ ଏନର୍ଜି ସଲ୍ୟୁସନର ଶେୟାରଗୁଡିକ ପ୍ରାରମ୍ଭିକ କାରବାର ସମୟରେ ୧୦-୨୦ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ନିଫ୍ଟି ୧୮୭ ପଏଣ୍ଟ ହ୍ରାସ କରି ୨୩,୩୩୦ ଥିବାବେଳେ ସେନସେକ୍ସ ୫୪୯ ପଏଣ୍ଟରେ ଦୁର୍ବଳ ହୋଇ ୭୭,୦୨୮ରେ କାରବାର ପହଞ୍ଚିଛି।
ଆମେରିକାରେ ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ କମିସନ (ଏସ୍ଇସି) ବୁଧବାର ଦିନ ଏହି ମାମଲାରେ ଗୌତମ ଆଦାନୀଙ୍କ ପୁତୁରା ସାଗର ଆଦାନୀ, ଆଦାନୀ ଗ୍ରିନ୍ ଏନର୍ଜି ଲିମିଟେଡର ଅଧିକାରୀଙ୍କ ସମେତ ଅନ୍ୟ ଏକ କମ୍ପାନି ଏଜୋର୍ୟ ପାୱାରା ଗ୍ଲୋବାଲ୍ ଲିମିଟେଡ୍ର ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ରିପୋର୍ଟରେ କୁହାଯାଇଛି ଆଦାନୀ ନିଜ ପୁତୁରା ସାଗରଙ୍କ ସହିତ ଅନ୍ୟ ୭ ଜଣଙ୍କ ସହ ମିଶି ନିଜର ରିନ୍ୟୁଏବଲ୍ ଏନର୍ଜି କମ୍ପାନିକୁ କଣ୍ଟ୍ରାକ୍ଟ ଦେବାକୁ ସରକାରୀ ଅଧିକାରୀଙ୍କୁ ପାଖାପାଖି ୨୬୫ ମିଲିୟନ୍ ଡଲାର ଲାଞ୍ଚ୍ ଯାଚିଥିଲେ। ଏହି ଲାଞ୍ଚ୍ ୨୦୨୦ ମସିହାରୁ ନେଇ ୨୦୨୪ ଭିତରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ଆଦାନୀ ଗ୍ରୁପ୍ ପକ୍ଷରୁ ବି ପ୍ରତିକ୍ରିୟା ପ୍ରକାଶ ପାଇ ସାରିଲାଣି। ବୟାନରେ କୁହାଯାଇଛି କି ‘‘ଆମେରିକାର ନ୍ୟାୟ ବିଭାଗ ଏବଂ ଏସ୍ଇସି ଆମ ବୋର୍ଡ ସଦସ୍ୟ ଗୌତମ ଆଦାନୀ ଏବଂ ସାଗର ଆଦାନୀଙ୍କ ନାମରେ ଆମେରିକାର ଜିଲ୍ଲା ଅଦାଲତରେ ଏକ ଅଭିଯୋଗ ଜାରି କରିଛି। ୟୁଏସ୍ ଷ୍ଟେଟ୍ସ ଡିପାର୍ଡମେଣ୍ଟ୍ ଅଫ୍ ଜଷ୍ଟିସ୍ ଆମ ବୋର୍ଡର ସଦସ୍ୟ ବିନିତ ଜୈନଙ୍କୁ ମଧ୍ୟ ଏଥିରେ ସାମିଲ୍ କରିଛି।