ଭୁବନେଶ୍ୱର: ବିସ୍ମୟ ଧାବକ ବୁଦ୍ଧିଆ ସିଂହ । ଯିଏକି ମାତ୍ର ୪ ବର୍ଷ ବୟସରେ ପୁରୀରୁ ଭୁବନେଶ୍ୱର ଦୌଡ଼ି ଲିମ୍କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ । ଏବେ ସେ ପୁଣି ଥରେ ଟ୍ରାକ୍କୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି । ଓଡ଼ିଶା ଛାଡ଼ି ପ୍ରଥମେ ଦିଲ୍ଲୀ ଓ ଏବେ ରାଜସ୍ଥାନର ହନୁମାନଗଡ଼ରେ ରହି ମାରାଥନ୍ ଅଭ୍ୟାସ କରୁଛନ୍ତି । ଆଗକୁ ୧୦ କିଲୋମିଟର ଦୌଡ଼ରେ ଜାତୀୟ କୀର୍ତ୍ତିମାନ କରିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଏହି ସୂଚନା ନିଜେ ବୁଦ୍ଧିଆ ଦେଇଥିବା ବେଳେ ପୁଣି ଥରେ ସେ ନୂଆ ନୂଆ କୀର୍ତ୍ତିମାନ କରି ସମସ୍ତଙ୍କୁ ଚକିତ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ବୁଦ୍ଧିଆ ଆହୁରି କହିଛନ୍ତି ଯେ, ପିଲାଦିନର କଥା ଏବେ ସେତେଟା ମନେ ନାହିଁ ତାଙ୍କର । କିନ୍ତୁ ଭୁବନେଶ୍ୱର-ପୁରୀ ଦୌଡ଼ର କିଛି କଥା ଓ କୋଚ୍ ବିରଞ୍ଚି ଦାସଙ୍କ ସହିତ ବିତିଥିବା କିଛି ମୁହୂର୍ତ୍ତକୁ ମନେ ରଖିଛନ୍ତି ବୁଦ୍ଧିଆ । କ୍ରୀଡ଼ା ଛାତ୍ରାବାସରେ ରହୁଥିବା ବେଳେ ତାଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲେ ସେ ଏତେବେଳକୁ ଆହୁରି ଉନ୍ନତ ପ୍ରଦର୍ଶନ ଦେଇପାରିଥାନ୍ତେ । ହେଲେ ସେତେବେଳେ ତାଙ୍କୁ ଅବହେଳା କରାଯାଇଥିଲା । ପାଠପଢ଼ା ଶେଷ ପରେ ଦିଲ୍ଲୀ ଜେଏନ୍ୟୁରେ ଅଭ୍ୟାସ କରିବା ବେଳେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା । ସୁନିତା ଗୋଦରାଙ୍କ ପାଖରେ ପ୍ରଶିକ୍ଷଣ ନେବା ପରେ ଭଲ ପ୍ରଶିକ୍ଷକ ଖୋଜିବାକୁ ତାଙ୍କୁ ଦୁଇ ବର୍ଷ ସମୟ ଲାଗିଯାଇଥିଲା ।
ଏବେ ଦ୍ରୋଣାଚାର୍ଯ୍ୟ ପୁରସ୍କାରପ୍ରାପ୍ତ ପ୍ରଶିକ୍ଷକ ଆର୍ଡି ସିଂହଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି ବୁଦ୍ଧିଆ । ଦିନକୁ ପାଖାପାଖି ୬ ଘଣ୍ଟା ପରିଶ୍ରମ କରୁଛନ୍ତି । ଏବେ ତାଙ୍କର ଗୋଟେ ଲକ୍ଷ୍ୟ ଅଲମ୍ପିକ୍ସ ବୋଲି ସେ କହିଛନ୍ତି ।