ଭାରତୀୟ ସଂସ୍କୃତି ଓ ହିନ୍ଦୁଙ୍କ ଧାର୍ମିକ ସ୍ଥଳ ସାରା ବିଶ୍ବରେ ବ୍ୟାପି ରହିଛି। କିନ୍ତୁ ଉତ୍ତରାଖଣ୍ଡରେ ଥିବା ଏକ ମନ୍ଦିର ସବୁଠାରୁ ନିଆରା ଅଟେ। ଉତ୍ତରାଖଣ୍ଡକୁ ଦେବଭୂମି ବୋଲି ମଧ୍ୟ କୁହାଯାଏ। କାରଣ ଏଠାରେ ଦେବଦେବୀଙ୍କ ଅନେକ ଚମତ୍କାରୀ ମନ୍ଦିର ରହିଛି। ଏପରି ଏକ ମନ୍ଦିର ହେଉଛି ଗୋଲୁ ଦେବତା ମନ୍ଦିର, ଯେଉଁଠି ମାନସିକ ପୂରଣ କରିବା ଲାଗି ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସିଥାନ୍ତି। ଗୋଲୁ ଦେବତାଙ୍କୁ ସ୍ଥାନୀୟ ଲୋକେ ନ୍ୟାୟ ଦେବତା ବୋଲି ମାନନ୍ତି। ଏହି ମନ୍ଦିରର ମାନ୍ୟତା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ବ୍ୟାପି ରହିଛି। ଚାଲନ୍ତୁ ଜାଣିବା ଏହି ମନ୍ଦିର ସମ୍ପର୍କରେ କେତେକ ରୋଚକ କଥା।
ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ ଅଛି ଗୋଲୁଦେବତାଙ୍କ ମନ୍ଦିର। ଗୋଲୁଦେବତାଙ୍କ ରହସ୍ୟମୟ ମନ୍ଦିରରେ ଭକ୍ତମାନଙ୍କ ହଜାର ହଜାର ଚିଠକୁ ଗ୍ରହଣ କରିଥାଆନ୍ତି । ସବୁଠୁ ଆଶ୍ଚର୍ୟ୍ୟ ଜନକ କଥାହେଲା କେବଳ ଗୋଲୁଦେବତା ଚିଠି ଗ୍ରହଣ କରିନଥାନ୍ତି, ସେ ମଧ୍ୟ ଚିଠି ଅନୁଯାୟୀ ସମସ୍ତ ଶ୍ରଦ୍ଧାଳୁମାନଙ୍କ ମନୋସ୍କାମନା ପୂରଣ କରୁଥିବା ନେଇ ବିଶ୍ୱାସ କରାଯାଏ । ଆଲମୋରାର ଗୋଲୁମନ୍ଦିରରେ ହଜାର ହଜାର ଛୋଟ ବଡ଼ ଘଣ୍ଟି ବନ୍ଧା ଯାଇଥିବାର ନଜରକୁ ଆସିଥାଏ । ଭାରତର ପ୍ରାୟ ପ୍ରମୁଖ ମନ୍ଦିର ମଧ୍ୟରେ କପଡ଼ା, ଗୋଡ଼ି, ସୂତା ବା ପଥର ବନ୍ଧାଯାଇଥିବାର ଦେଖାଯାଇଥାଏ, କିନ୍ତୁ ଏଠାରେ ଥିବା ବିଭିନ୍ନ ବୃକ୍ଷରେ ଆପଣ ହଜାର ହଜାର ସଂଖ୍ୟାରେ ଘଣ୍ଟି ବନ୍ଧା ଯାଇଥିବାର ଦେଖିବାକୁ ପାଇବେ ।
ଆଲମୋରା ମନ୍ଦିରରେ କେବଳ ଗୋଟିଏ ପ୍ରକାରର ଘଣ୍ଟି ନୁହେଁ ବରଂ ବିଭିନ୍ନ ମେଟାଲ୍ ସହିତ ବିଭିନ୍ନ ଆକାରର ଘଣ୍ଟି ଦେଖିବାକୁ ମିଳିଥାଏ । ଏହି ଘଣ୍ଟି ଗୁଡ଼ିକୁ ଭକ୍ତମାନଙ୍କର ମନୋସ୍କାମନା ପୂର୍ଣ୍ଣ ହେବାପରେ ସେମାନେ ଏହିଠାରେ ଥିବା ଗଛରେ ବାନ୍ଧି ଦେଇଥାଆନ୍ତି । କଥାରେ ଅଛି ‘ବିଶ୍ୱାସେ ମିଳଇ ହରି’, ତେଣୁ ଯେହେତୁ ଏଠାକାର ଦେବତା ଗୋଲୁ ମହାରାଜ ଶ୍ରଦ୍ଧାଳୁମାନଙ୍କର ସମସ୍ତ ଇଛାକୁ ବା ମନୋସ୍କାମନାକୁ ନିଶ୍ଚିତ ରୂପେ ପୂର୍ଣ୍ଣ କରିଥାଆନ୍ତି, ତେଣୁ ଏଠାରେ କେବଳ ଭାରତ ନୁହେଁ ବରଂ ବିଶ୍ୱର ଅନେକ ଦେଶରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଦେବଭୂମି ଉତ୍ତରାଖଣ୍ଡରେ ଥିବା ଏହି ମନ୍ଦିରକୁ ନେଇ ଏକ ଅଜବ ବିଶ୍ୱାସ ରହିଛି । ଏହି ମନ୍ଦିରକୁ ଗଲେ ଆପଣ ଦେଖିବେ ମନ୍ଦିର ବାହାରେ ଅନେକ ଘଣ୍ଟି ଓ କାଗଜ ଟଙ୍ଗା ଯାଇଥାଏ ।
ଲୋକବିଶ୍ୱାସ ରହିଛି ନିଜ ମନୋସ୍କାମନାକୁ ଯଦି ଆପଣ ଏକ ଚିଠି ଲେଖି ଏହି ମନ୍ଦିରରେ ରଖିଯିବେ ତେବେ ଗୋଲୁଦେବତା ଆପଣଙ୍କ ମନୋସ୍କାମନା ପୂରଣ କରିବେ । ଆଉ ଯେତେ ବେଳେ ଆପଣଙ୍କ ମନୋସ୍କାମନା ପୂରଣ ହୋଇଯିବ ସେତେବେଳେ ଆପଣ ଗୋଲୁଦେବତାଙ୍କ ମନ୍ଦିରରେ ଏକ ଘଣ୍ଟି ବାନ୍ଧିଦେବେ। ଏଭଳି ବିଶ୍ୱାସକୁ ନେଇ ମନ ମଧ୍ୟରେ ପ୍ରଶ୍ୱ ଉଙ୍କିମାରିବା ସ୍ୱାଭାବିକ କଥା । ସତରେ କଣ ଗୋଲୁଦେବତା ମଣିଷ ମାନଙ୍କର ଚିଠି ପଢି ପାରନ୍ତି । ଦେବତା କଣ ମଣିଷ ହାତରେ ଲେଖା ଯାଇଥିବା ଅକ୍ଷରକୁ ଚିହ୍ନି ପାରନ୍ତି । ଆଉ ଚିଠି କୁ ପଢି ଗୋଲୁଦେବତା ମଣିଷ ମାନଙ୍କର ମନୋସ୍କାମନା ପୂରଣ କରିଥାନ୍ତି ।
ହିମାଳୟ ପର୍ବତାବଳୀର କୁମାୟୁଁ ଅଞ୍ଚଳର ପ୍ରତିଷ୍ଠିତ ଦେବତା ହେଉଛନ୍ତି ଗୋଲୁ ଦେବତା । ଆଲମୋରା ସହର ଠାରୁ ପ୍ରାୟ ୧୦ କିଲୋମିଟର ଯିବା ପରେ ପଡ଼େ ଏହି ମନ୍ଦିର । ଅନେକ ଗୋଲୁ ଦେବତାଙ୍କୁ ଭଗବାନ ଶିବଙ୍କର ଗୌର ଭୈରବ ଅବତାର ଭାବେ ଗ୍ରହଣ କରିଥାନ୍ତି । ଲୋକ ବିଶ୍ୱାସ ଅନୁସାରେ ଗୋଲୁଦେବତାଙ୍କର ମାନବୀୟ ରୂପ ରହିଥିଲା ।
ଗୋଲୁଦେବତାଙ୍କୁ ନେଇ ରହିଥିବା ଅନେକ କିମ୍ବଦନ୍ତି ଓ ଲୋକବିଶ୍ୱାସ ହିଁ ସବୁ ରହସ୍ୟର ମୂଳ । ତାଙ୍କର ଉତ୍ପତ୍ତି ଯେପରି ହେଲେ ମଧ୍ୟ କାହିଁ କେଉଁ କାଳରୁ ଗୋଲୁଦେବତା ନ୍ୟାୟିକ ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଗୋଲୁ ଦେବତାଙ୍କୁ ଚାମୋଲି ଗ୍ରାମର ଅନେକ ଘରେ କୂଳ ଦେବତା ଭାବେ ମଧ୍ୟ ପୂଜା କରାଯାଏ । ଗୋଲୁଦେବତାଙ୍କୁ କେବଳ ଧଳା ରଂଗର ବସ୍ତ୍ର ପିନ୍ଧାଯାଇଥାଏ । ଧଳା ବସ୍ତ୍ର,ଧଳା ପଗଡ଼ି ଓ ଧଳା ରଂଗର ସାଲ୍ରେ ତାଙ୍କୁ ଆଭୁଷିତ କରାଯାଏ । ତେବେ ଏହି ଦେବତାଙ୍କୁ ନେଇ ରହଥିବା ବିଶ୍ୱାସ ହିଁ ସବୁଠାରୁ ରହସ୍ୟମୟ ।
ଆଜି ପର୍ୟ୍ୟନ୍ତ ଏହି ରହସ୍ୟମୟ ଗୋଲୁମନ୍ଦିରର ଆଶ୍ଚର୍ଯ୍ୟଜନକ ଘଟଣା ରହସ୍ୟ ହୋଇରହିଛି । ପ୍ରକୃତରେ କିପରି ଏହି ଗୋଲୁଦେବତା ହଜାର ହଜାର ଲୋକମାନଙ୍କର ମନୋସ୍କାମନାକୁ ପଢିପାରନ୍ତି ! କେମିତି ଦରଖାସ୍ତ ଅନୁଯାୟୀ ଭକ୍ତମାନଙ୍କର ଇପସିତ କାର୍ୟ୍ୟଗୁଡ଼ିକ ସମାହିତ ହୋଇଥାଏ ! ଆଜିଯାଏ ଏହା ରହସ୍ୟାବୃତ୍ତ ହୋଇ ରହିଛି ।