ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ସ୍ମାରକୀ କରିବା ପାଇଁ ନିବେଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛିି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ ହେବାକୁ ଥିବା ସ୍ମାରକୀ ପାଇଁ ସରକାର ସ୍ଥାନ ଯୋଗାଇବେ । ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ସ୍ମାରକୀ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯିବ ଏବଂ ଭବିଷ୍ୟତ ପିଢି ଏଥିରୁ ପ୍ରେରଣା ପାଇପାରିବେ।
ଅନ୍ୟପଟେ ଏହି ପ୍ରସ୍ତାବକୁ ନେଇ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ବାପାଙ୍କ ପାଇଁ ତ ଏକ ଶୋକସଭା କରି ନ ଥିଲ ବୋଲି ଅଭିଯୋଗ ଉଠାଇଛନ୍ତି ଶର୍ମିଷ୍ଠା। ଏକ୍ସରେ ଏକ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଯେତେବେଳେ ମୋ ପିତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅଗଷ୍ଟ ୨୦୨୦ରେ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡି) ଦ୍ୱାରା ଶୋକସଭା କରାଯାଇ ନ ଥିଲା। କଂଗ୍ରେସର ଜଣେ ବରିଷ୍ଠ ନେତା ମୋତେ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ପାଇଁ ଏଭଳି ଶୋକସଭା ଅନୁଷ୍ଠିତ ହୁଏନାହିଁ। ହେଲେ ପରେ ମୁଁ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲି ଯେ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ।