ଟିକିଲିକୁ ନେଇ ତୁମୁଳକାଣ୍ଡ: ଛାଡପତ୍ର ଯାଏଁ ଗଲା କଥା

ଲକ୍ଷ୍ନୌ: ସାଧାରଣତଃ ଯୁବତୀ ହୁଅନ୍ତୁ ବା ମହିଳା ମଥାରେ ଟିକିଲି ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହା ନାରୀର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ସେଥିଲାଗି ପ୍ରତ୍ୟେକ ନାରୀ ରଙ୍ଗବେରଙ୍ଗର ଟିକିଲି ପିନ୍ଧିଥାନ୍ତି । ଆଉ ବିବାହିତା ମହିଳାମାନେ ମଥାରେ ଟିକିଲି ପିନ୍ଧିବାକୁ ଶୁଭ ବୋଲି ବିଶ୍ୱାସ ରହିଛି । ହେଲେ ଏହି ଟିକିଲି ଏକ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରି ଦେଇଛି । ୟୁପିରୁ ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠି ଟିକିଲିକୁ ନେଇ ହୋଇଛି ତୁମୁଳକାଣ୍ଡ । ଏହି ଘଟଣା ଥାନାରେ ପହଞ୍ଚିବା ସହ ଛାଡ଼ପତ୍ର ଯାଏଁ ବି କଥା ଯାଇଛି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଟିକିଲି ପାଇଁ ଝଗଡା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ୟୁପି ଆଗ୍ରାରୁ ଆସିଛି ଏମିତି ଖବର । ଯାହା ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ଆଉ ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇ ଦେଇଛି ଯେଉଁଠି କାଉନସିଲର ସ୍ୱାମୀସ୍ତ୍ରୀ ଦୁହିଁଙ୍କୁ ଟିକିଲି ପଛର ଝଗଡା ବାବଦରେ ପଚାରିଛନ୍ତି । ଜଣାଯାଇଛି ଯେ, ୨୦୨୩ ମସିହାରେ ହିନ୍ଦୁ ରୀତିନୀତି ଅନୁସାରେ ସେମାନଙ୍କ ବିବାହ ହୋଇଥିଲା । ବିବାହ ପରେ ସ୍ୱାମୀ-ସ୍ତ୍ରୀ ଦୁହେଁ ହସଖୁସିରେ ଦିନ କାଟିଥିଲେ । ନୂଆ ନୂଆ ବିବାହ ହୋଇଥିବାରୁ ମହିଳା ଜଣଙ୍କ ସଜ ହେବାକୁ ବହୁତ ପସନ୍‌ଦ କରୁଥିଲେ । ଏମିତି କି କିଛି ସମୟର ବ୍ୟବଧାନରେ ନିଜ ମଥାର ବିନ୍ଦି ପରିବର୍ତ୍ତନ କରୁଥିଲେ । ଯାହା ତାଙ୍କ ସ୍ୱାମୀଙ୍କୁ ପ୍ରଥମେ ଭଲ ଲାଗୁଥିଲା । ହେଲେ ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ବିରକ୍ତି ଆଣିଦେଲା ।

ପତ୍ନୀ ଜଣଙ୍କ ପତିଙ୍କୁ ବାରମ୍ବାର ଟିକିଲି ଆଣିବାକୁ କହୁଥିଲେ । ଦୁଇ ଦିନରେ ଥରେ ଟିକିଲି ସରିଯାଇଛି କହି ନୂଆ ଆଣିବାକୁ ଅଳି କରୁଥିଲେ । ଦିନେ ପତିି ବଜାରରୁ ଟିକିଲି ଆଣିବାକୁ ଭୁଲିଯାଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ସ୍ୱାମୀଙ୍କୁ ମୁହଁମୁହେଁ ଶୁଣେଇଦେଲେ ମହିଳା । ଦୁହିଁଙ୍କ ଭିତରେ ଝଗଡା ବଢିଲା, କଥା ଛାଡପତ୍ର ଯାଏଁ ଗଲା । ଆଉ ଶେଷରେ ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡି ନିଜ ବାପଘରେ ଆସି ରହିଲେ । ଏନେଇ ଥାନାରେ ଅଭିଯୋଗ ହେଲା । ଆଉ ମାମଲାକୁ ପୋଲିସ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇଦେଲା । କାଉନସିଲରଙ୍କ ନିକଟରେ ସ୍ୱାମୀ କହିଛନ୍ତି ଯେ, ମୋ ସ୍ତ୍ରୀ ୭ ଦିନରେ ୩୫ଟା ଟିକିଲି ଲଗାଉଥିଲେ । ଆଉ ମୋର ଅଧା ଟଙ୍କା ଟିକିଲି କିଣାରେ ପଳାଉଛି । ଅନ୍ୟପଟେ ମହିଳା ଜଣକ କହିଛନ୍ତି ଯେ, ମୁଁ ଶୋଇଥିବା ବେଳେ ଟିକିଲି ମଥାରୁ ଖସିଯାଏ । ମୁହଁ ଧୋଇଲେ କିମ୍ବା ଝାଳ କାରଣରୁ ଟିକିଲି ମଥାରେ ରୁହେନି । ତେଣୁ ନୂଆ ଟିକିଲି ପିନ୍ଧି ଥାଏ, ଯାହା ମୋ ସ୍ୱାମୀଙ୍କୁ ପସନ୍ଦ ଆସେନି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *