ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଅନ୍‌ଲାଇନରେ ଚାଲିବ କୋର୍ଟ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ରେ ଚାଲିବ କୋର୍ଟ । ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ସୂଚନା ଦେଇଛନ୍ତି। ଯେତେବେଳେ କିଛି ବରିଷ୍ଠ ଆଇନଜୀବୀ ତାଙ୍କ ନିକଟକୁ ଆସି ଅନଲାଇନ ମୋଡରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ବିଚାର କରି ସଞ୍ଜୀବ ଖାନ୍ନା ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ବେଞ୍ଚରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି କପିଲ ସିବଲ ଏବଂ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ହାଜର ହୋଇଥିଲେ। ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସେ ସମସ୍ତ କୋର୍ଟର କାର୍ଯ୍ୟ ଅନଲାଇନ ମୋଡରେ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଯଥାସମ୍ଭବ ଭର୍ଚୁଆଲ ଶୁଣାଣି କରିବାକୁ ସେ କହିଛନ୍ତି।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଆରଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏହାର ବିଭିନ୍ନ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆରଏପିର ପ୍ରଥମ ପର୍ଯ୍ୟାୟ ଲାଗୁ ହେଉଥିବାବେଳେ ଏହି ସ୍ତର ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। ରବିବାର ବାୟୁମାନ ୪୫୭ରେ ପହଞ୍ଚିବା ପରେ ସୋମବାର ସକାଳ ୮ରୁ ଜିଆରଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବା ପାଇଁ ସିଏକ୍ୟୁଏମ୍ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ସ୍ୱଚ୍ଛ ଇନ୍ଧନ ପରିବହନ କରୁଥିବା ଯାନକୁ ବାଦ୍ ଦେଇ ଅନ୍ୟ ସମସ୍ତ ଟ୍ରକ୍‌କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯିବ ନାହଁ। ଦିଲ୍ଲୀ ବାହାରେ ପଞ୍ଜୀକୃତ ଅତିଜରୁରୀ ନ ଥିବା ହାଲୁକା ବ୍ୟବସାୟିକ ଯାନ ଉପରେ ମଧ୍ୟ କଟକଣା ଜାରି ହୋଇଛି। କେବଳ ବିଦ୍ୟୁତ୍‌, ସିଏନ୍‌ଜିରେ ଚାଲୁଥିବା ଗାଡ଼ି ଏବଂ ବିଏସ୍‌-୬ ଡିଜେଲ ଗାଡ଼ିକୁ ଅନୁମତି ମିଳିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *