ଭୁବନେଶ୍ୱର: ପଖାଳ । ଓଡ଼ିଆଙ୍କର ସବୁଠୁ ପ୍ରିୟ ଖାଦ୍ୟ । ସକାଳ ହେଉ କି ସଞ୍ଜ, ଖରା କି ବର୍ଷା ବା ଶୀତ । ଓଡ଼ିଆ ଘରେ କିଛି ଥାଉ କି ନଥାଉ । କଂସେ ପଖାଳ ନିହାତି ଥିବ । ଇଏ ଓଡ଼ିଆ ଜାତିର ଗର୍ବ ଓ ଗୌରବ । ପ୍ରଭୁ ଜଗନ୍ନାଥ ବି ପଖାଳ ଖାଆନ୍ତି । ସିଏ ପୁଣି ଏମିତି ସେମିତି ପଖାଳ ନୁହେଁ । ଶ୍ରୀଜିଉଙ୍କ ପଖାଳରେ ପଡ଼େ ଘିଅ । ଆମର ଆରାଧ୍ୟ ଦେବତା ଯେବେ ପଖାଳ ପ୍ରିୟ ସେବେ ଓଡ଼ିଆ ବା ଏଥିରୁ ଦୂରେଇ ରହିବେ କେମିତି ।
ଖାସ କରି ଖରାରେ ଆସି ଗୁଣ୍ଡେ ପଖାଳ ଖାଇଦେଲେ ପେଟ ମୁଣ୍ଡ ପୂରା ଶାନ୍ତି । ଖଟିଖିଆର ଭାତହାଣ୍ଡି ଠାରୁ ଆରମ୍ଭ କରି ପଞ୍ଚତାରକା ହୋଟେଲ, ଆଜି ସବୁଠି ପଖାଳର ଚାହିଦା ବେଶ୍ ଅଧିକା । ପଖାଳ ଆଗରେ ବଡ଼ ବଡ଼ ରେଷ୍ଟୁରାଣ୍ଟର ମହଙ୍ଗା ଡିସ୍ ଆଜି ଫିକା । ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଯଦିଓ ପଖାଳ ଓଡ଼ିଆଙ୍କ ନିତି ଦିନିଆ ଖାଦ୍ୟ, ମାତ୍ର ଖରା ଦିନରେ ଏହାର ଚାହିଦା ବେଶୀ । ପଖାଳକୁ ନେଇ ଏବେ ଟ୍ରେଣ୍ଡ ଆରମ୍ଭ ହୋଇଗଲାଣି । ଖାସ କରି ଆଜି ପଖାଳ ଦିବସ ପାଳନ ହେଉଥିବାରୁ ବଡ଼ବଡ଼ ହୋଟେଲ୍ରେ ବି ଭେରାଇଟି ପଖାଳ ବିକ୍ରି ହେଉଛି। ଯିଏ ଯେମିତିକା ଚାହିଁବ ସିଏ ସେମିତିକା ଖାଇବ । ଆଉ ପଖାଳ ଖାଇବା ପାଇଁ ବିଭିନ୍ନ ଛୋଟବଡ଼ ହୋଟେଲରେ ଲୋକଙ୍କ ଭିଡ଼ ଜମୁଛି ।
ଜାଣିଛନ୍ତି କି , ପଖାଳରେ ଭରପୂର ଅଛି ରୋଗ ପ୍ରତିଶୋଧକଶକ୍ତି । କରୋନା କାଳରେ ଯେବେ ପୂରା ବିଶ୍ୱ ଘାଂଟି ହେଉଥିଲା, ସେହି ସମୟରେ ପଖାଳର ଉପକାରିତାକୁ ନେଇ ଆସିଥିଲା ଏକ ରିପୋର୍ଟ । ଯେଉଁଥିରେ କୁହାଯାଇଥିଲା କି, ପଖାଳରେ ଭରପୂର ରହିଛି ରୋଗ ପ୍ରତିରୋଧକ ଶକ୍ତି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଭୁବନେଶ୍ୱରର ଏମ୍ସ ପକ୍ଷରୁ କରାଯାଇଥିôଲା ଖୁଲାସା । ୨ ବର୍ଷ ଗବେଷଣା ପରେ ଆସିଥିଲା ଏହି ରିପୋର୍ଟ ।
ପଖାଳ କେବଳ ପାଟି କି ପେଟକୁ ଶାନ୍ତ କରେ ତାହା ନୁହେଁ ବରଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢାଏ । ବାସି ପଖାଳ ଓ ତୋରାଣିରେ ଶରୀରକୁ ଏତେ ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ଯୋଗାଏ ଯେ ଏହା କରୋନାରୁ ବର୍ତ୍ତିବାରେ ସାହାଯ୍ୟ କରେ । ବୋଧହୁଏ ସେଇଥି ଲାଗି ଗାଁ ଗଣ୍ଡାର ଲୋକ ଖାସ କରି ଆଦିବାସୀମାନଙ୍କ ପାଖ ମାଡ଼ି ନ ଥିଲା କରୋନା । ପଖାଳରେ ଥିବା ଅଣୁଜୀ ଶ୍ୱେତସାରର ସରଳୀକରଣ ଦ୍ୱାରା ସର୍ଟ ଚେନ୍ ଫ୍ୟାଟି ଏସିଡ୍ ତିଆରି କରେ । ଯାହାକି ମଣିଷକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଅନେକାଂଶରେ ସାହାଯ୍ୟ କରେ ।
ଏମ୍ସ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା କି, ଯେଉଁମାନେ ନିଇତି ପଖାଳ କିମ୍ବା ତୋରାଣି ପିଅନ୍ତି ସେମାନଙ୍କର ଇମ୍ୟୁନିଟି ପାୱାର ବଢେ । ବାସି ପଖାଳରେ ଥିବା ସର୍ଟ ଚେନ୍ ଫ୍ୟାଟି ଏସିଡ୍ର ପ୍ରଦାହରୋଧୀ ବା ଆଣ୍ଟି-ଇନ୍ଫ୍ଲେମାଟୋରୀ ଗୁଣ ରହିଛି । ତୋରାଣିରେ ଥିବା ଲୋବାସିଲସ୍ ଜୀବାଣୁ ଶରୀରରେ ଇମ୍ୟୁନୋଗ୍ଲୋବୁଲିନ୍ କ୍ଷରଣରେ ସହାୟକ ହୁଏ, ଯାହାକି ଫୁସଫୁସ୍ ଓ ଅନ୍ତଃନଳୀ ସଂକ୍ରମଣକୁ ରୋକିଥାଏ । ଖାଲି ଏତିକି ନୁହେଁ ପଖାଳ ଅପପୁଷ୍ଟି ରୋକିବାକୁ ଏବଂ ଗର୍ଭବତୀ ମହିଳାଙ୍କ ଭ୍ରୁଣର ବିକାଶ ପାଇଁ ଖୁବ୍ ଉପକାରୀ । ତେବେ ଗବେଷକଙ୍କ କହିବା କଥା, ସଜ ନୁହେଁ କେବଳ ବାସି ପଖାଳ ଓ ତୋରାଣିରେ ହିଁ ଏହି ଗୁଣ ରହିଛି ।