ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ମହିଳା ମୁଖ୍ୟମନ୍ତ୍ରୀ । ପୂର୍ବ ସରକାରରେ ଜଣେ ମହିଳା ହାତରେ ଆପ୍ ମୁଖ୍ୟମନ୍ତ୍ରୀ ଭାର ଦେଇଥିବା ବେଳେ ନୂଆ ସରକାର ଆସିବା ପରେ ବି ଜଣେ ମହିଳାଙ୍କ ଉପରେ ପୁନଶ୍ଚ ଭରସା କରାଯାଇଛି । ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ସରକାରରେ ଆତିଶୀ ମାର୍ଲେନା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ହେଲେ ଏବେ ବିଜେପି ସରକାରରେ ବି ମହିଳା ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କୁ ମନୋନୀତ କରାଯାଇଛି ।
ତେବେ ଦିଲ୍ଲୀରେ ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେଖା ଗୁପ୍ତା । ପୂର୍ବରୁ ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ, ଆତିଶୀ ମାର୍ଲେନା ଥିବା ବେଳେ ଏବେ ଦିଲ୍ଲୀର ଦାୟିତ୍ୱ ରେଖା ଗୁପ୍ତାଙ୍କ କାନ୍ଧରେ । ତେବେ ଆସନ୍ତୁ ଜାଣିବା ୪ ମହିଳା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ କେତେ ଦିନ ଦିଲ୍ଲୀର ଗାଦି ସମ୍ଭାଳିଛନ୍ତି ।
ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସୁଷମା ସ୍ୱରାଜ । ସୁଷମା ସ୍ୱରାଜ ମାତ୍ର ୫୨ ଦିନ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୧୯୯୮ ମସିହା ୧୨ ଅକ୍ଟୋବରରୁ ୩ ଡିସେମ୍ବର ଯାଏ ମାତ୍ର ୫୨ ଦିନ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ସୁଷମା । ସେବେଠୁ ଦିଲ୍ଲୀରେ ଆଉ ବିଜେପି ସରକାର ଗଢିନାହିଁ । ଏବେ ଦୀର୍ଘ ୨୭ ବର୍ଷ ପରେ ପୁଣି ଥରେ ବିଜେପି ଦିଲ୍ଲୀରେ ସରକାର ଗଢିଛି ।
ସେହିପରିି ସବୁଠୁ ଦୀର୍ଘତମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀର ଶାସନ ଭାର ସମ୍ଭାଳିଥିଲେ ଶୀଲା ଦୀକ୍ଷିତ । କଂଗ୍ରେସ ସରକାରରେ ଶୀଲା ୧୫ ବର୍ଷ ୨୫ ଦିନ ଦିଲ୍ଲୀର ଦାୟିତ୍ୱ ନେଇଥିଲେ । ୧୯୯୮ ମସିହା ୩ ଡିସେମ୍ବରୁ ୨୦୧୩ ୨୮ ଡିସେମ୍ବର ଯାଏଁ ସେ ଦିଲ୍ଲୀର ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଥିଲେ ।
ସେହିପରି ଆତିଶୀ ମାର୍ଲେନାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିଲା ଆମ୍ ଆଦମୀ ପାର୍ଟି । ଆଉ ଆତିଶୀ ହୋଇଥିଲେ ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ । ଆତିଶୀ ୧୫୨ ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଭାର ସମ୍ଭାଳିଥିଲେ । ୨୧ ସେପ୍େଟମ୍ବର ୨୦୨୪ରୁ ୨୦ ଫେବୃୟାରୀ ୨୦୨୫ ଯାଏଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଛନ୍ତି ।
ଏବେ ଦିଲ୍ଲୀର ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସାମ୍ନାକୁ ଆସିଛନ୍ତି ବିଜେପିର ରେଖା ଗୁପ୍ତା । ବିଜେପି ଦିଲ୍ଲୀରେ ୨୭ ବର୍ଷ ପରେ ସରକାର ଗଢିଥିବା ବେଳେ ରେଖା ଗୁପ୍ତା ସୁଷମା ସ୍ୱରାଜଙ୍କ ପରେ ଭାରତୀୟ ଜନତା ପାର୍ଟିର ମହିଳା ମୁଖ୍ୟମନ୍ତ୍ରୀ । ଆଜିଠୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି ।