ଭୁବନେଶ୍ୱର: ଓଡ଼ିଶା ନର୍ସିଂ ଷ୍ଟାଫଙ୍କ ୟୁନିଫର୍ମକୁ ପରିବର୍ତ୍ତନ କରାଯାଇଛି । ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ପୋଷାକ ପିନ୍ଧିବେ ନର୍ସ । ଆଉ ଏହି ନୂଆ ୟୁନିଫର୍ମରେ ରହିବ ସମ୍ବଲପୁରୀ ଛିଟ ବୋଲି କୁହାଯାଇଛି । ସେବା କ୍ଷେତ୍ରରେ ସ୍ଥାନ ପାଇବ ଓଡ଼ିଆ ଅସ୍ମିତା । ହାଲୁକା ବାଇଗଣୀ ରଙ୍ଗର ପୋଷାକ ପିନ୍ଧିବେ ନର୍ସମାନେ । ଉଭୟ ପୁରୁଷ ଓ ମହିଳା ନର୍ସମାନେ ଈଷତ ବାଇଗଣୀ ରଙ୍ଗର ପ୍ୟାଣ୍ଟ ସର୍ଟ ପିନ୍ଧିବା ନେଇ ନିଷ୍ପତି ହୋଇଛି ।
ଏହା ସହ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟମାନେ ସାୟନ ବ୍ଲୁ ଅର୍ଥାତ ନୀଳ ରଙ୍ଗର ଡ୍ରେସ ପିନ୍ଧିବେ । ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ମାନେ ଧଳା ଶାଢ଼ୀ ଓ ଡ୍ରେସ ପିନ୍ଧିବେ । ଏହି ପୋଷାକରେ ଥିବା ଆର୍ପନର କଲରରେ ସମ୍ବଲପୁରୀ ଛିଟ୍ ରହିବା ନେଇ ନିଷ୍ପତି ହୋଇଛି । ସେହିପରି ପୁରୁଷ ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ଧଳା ଜାକେଟର କଲରରେ ରହିବ ସମ୍ବଲପୁରୀ ଛିଟ । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତି ହୋଇଛି ।
ନୂଆ ବର୍ଷ ଜାନୁଆରୀ ଏକରୁ ନୂଆ ୟୁନିଫର୍ମ ପିନ୍ଧିବେ ନର୍ସିଂ ଅଧିକାରୀ । ତାରିଖ ଚୂଡ଼ାନ୍ତ ନହୋଇଥିଲେ ବି ଜାନୁôôଆରୀରୁ ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଥିବା ସୂଚନା ରହିଛି । ଡ୍ରେସକୋଡ୍ ପରିବର୍ତ୍ତନ ନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ନର୍ସିଂ ମହାସଂଘର ସଂପାଦକ । କହିଛନ୍ତି ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ଯେଉଁ ସବୁ ଦାବି ରଖିଥିଲୁ ସେଥି ମଧ୍ୟରୁ ଏହା ଏକ ଦାବି ଥିଲା । ଆଶା କରୁଛି ସରକାର ବାକି ସମସ୍ତ ଦାବି ଖୁବଶୀଘ୍ର ପୁରଣ କରିବେ ବୋଲି କହିଛନ୍ତି ସଂପାଦକ ଅଶ୍ୱିନୀ କୁମାର ଦାସ ।