ମୁମ୍ବାଇ : ସୁଧୁରୁନି ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଛି । ତେଣୁ ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଯାଞ୍ଚ କରାଇ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତାଙ୍କର ଡବ୍ଲୁବିସି (ଧଳା ରକ୍ତ କଣିକା) ହ୍ରାସ ପାଇଛି। ତାଙ୍କର ଡେଙ୍ଗୁ ଏବଂ ମ୍ୟାଲେରିଆ ପରୀକ୍ଷା ନକାରାତ୍ମକ ହୋଇଛି। ଗତ ୨୩ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସ୍ଥିତିକୁ ନେଇ ଶିନ୍ଦେ ରାଗରେ ଅଛନ୍ତି । ତାଙ୍କର ଅସୁସ୍ଥତା ଏକ ବାହାନା ବୋଲି ବିରୋଧୀ ଦଳ ଦାବି କରିଛନ୍ତି ।
ଅନ୍ୟପଟେ ଆସନ୍ତାକାଲି ମହାରାଷ୍ଟ୍ରରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରସ୍ତୁତି ନେଇ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଏକ ବୈଠକ କରିଥିଲେ । ମହୁୟୁତିର ନେତାମାନେ ଆଜାଦ ମଇଦାନକୁ ମଧ୍ୟ ଯାଞ୍ଚ କରିଥିଲେ। ଏହି ସମୟରେ ଶିବସେନା, ଭାଜପା ଏବଂ ଏନସିପି ନେତାମାନେ ଉପସ୍ଥିତ ଥିଲେ। ସମସ୍ତ ତିନୋଟି ଦଳ ଏକତା ଦେଖାଇବାକୁ ଚେଷ୍ଟା କରିଥିଲେ।
ସେହିପରି ଅଜିତ ପାୱାର ଦିଲ୍ଲୀରେ ପହଞ୍ଚିଛନ୍ତି। ୧୧ ଜଣ ଏନସିପି ନେତା ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା, ଭାଜପା ଏବଂ ଅଜିତ ପାୱାରଙ୍କ ଏନସିପି ୨୩୦ଟି ଆସନ ଜିତିଛି। ଭାରତୀୟ ଜନତା ପାର୍ଟି (ଭାଜପା) ୧୩୨ଟି ଆସନ ସହ ସର୍ବ ବୃହତ ଦଳ ଭାବେ ଉଭା ହୋଇଥିବାବେଳେ ଶିବସେନା ୫୭ଟି ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ୪୧ଟି ଆସନ ପାଇଛି।