‘ସାବରମତୀ ରିପୋର୍ଟ’ ଦେଖିବାକୁ କଲେ ନିମନ୍ତ୍ରଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ପ୍ରଯୋଜିକା ଏକତା କପୁର। ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ବିଧାନସଭା ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ସିନେମାଟି ଦେଖିବା ଲାଗି ଅନୁରୋଧ କରିଛନ୍ତି। ଏହାପରେ ଏକତା କପୁର ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ସୋମବାର ଅପରାହ୍ନରେ ସଂସଦର ବାଲ୍‌ଯୋଗୀ ଅଡିଟୋରିୟମରେ ପ୍ରଧାନମନ୍ତ୍ରୀ ଏହି ଫିଲ୍ମ ଦେଖିଛନ୍ତି । ତାଙ୍କ ଏନ୍‌ଡିଏର ଏମ୍‌ପିମାନେ ମଧ୍ୟ ଏହି ଫିଲ୍ମ ଦେଖିଥିଲେ। ଏନେଇ ସ୍ପେଶାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମେସି ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ସାରା ଦେଶରେ ରିଲିଜ୍ ହୋଇଛି। ଏହା ୨୦୦୨ ମସିହାରେ ଫେବ୍ରୁଆରିରେ ଘଟିଥିବା ଗୋଧ୍ରା ଘଟଣା ଉପରେ ଆଧାରିତ। ଗୁଜୁରାଟର ଗୋଧ୍ରାରୁ ଅଯୋଧ୍ୟାକୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା ଏକ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫୯ ଜଣ ହିନ୍ଦୁ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ଦିନ ପରେ, ଫେବ୍ରୁଆରି ୨୮ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ।

ଯେତେବେଳେ ଏହି ଘଟଣାଟି ଘଟିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିଶନ ଗଠନ କରିଥିଲେ। କମିଶନ ଏହି ଘଟଣାର ଅନୁସନ୍ଧାନ କରିଥିଲେ। ଯାହାକୁ ନେଇ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। 

ତେବେ ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଏହି ଚଳଚ୍ଚିତ୍ରକୁ ଓଡ଼ିଶା ସରକାର କରମୁକ୍ତ କରିଛନ୍ତି। କିଛିଦିନ ତଳେ ଫିଲ୍ମର ପ୍ରଯୋଜିକା ଏକତା କପୁର ମୁଖ୍ୟମନ୍ତ୍ରୀଙ୍କ  ଓଡ଼ିଶାରେ ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସତ୍ୟକୁ ଅଧିକ ଲୋକଙ୍କୁ ଜଣାଇବାରେ ସାହାଯ୍ୟ କରିବ କରିବ ବୋଲି ଏକତା ଟୁଇଟ୍ କରିଥିବା ବେଳେ ଆଜି ସିଧାସଳଖ ଆସି ଧନ୍ଯବାଦ ଦେଇଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *