ନୂଆଦିଲ୍ଲୀ: ଏଣିକି ଅଫିସରେ କର୍ମଚାରୀମାନଙ୍କୁ ଚା’ ବଦଳରେ ମାଗଣାରେ ମିଳିବ ମଦ । ଏହା ଶୁଣିବା ପରେ ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । ହେଲେ ଘଟଣାଟି ସତ । ନିକଟରେ ଜାପାନର ଏକ କମ୍ପାନୀ କାମ ସମୟରେ ମଦ ଦେବା ନେଇ ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ, କର୍ମଚାରୀମାନଙ୍କୁ ‘ହ୍ୟାଙ୍ଗଓଭର ଲିଭ୍’ ପ୍ରଦାନ କରିବାକୁ ଘୋଷଣା କରିଛି ।
ଅନେକ ବଡ ବଡ଼ କମ୍ପାନୀ ନୂତନ ପ୍ରତିଭାଙ୍କୁ ଆକର୍ଷିତ କରିବା ପାଇଁ ଦରମା ବୃଦ୍ଧି କରିବାକୁ ଯୋଜନା କରନ୍ତି । କିନ୍ତୁ ଛୋଟ ଏବଂ ମଧ୍ୟମ ଆକାରର କମ୍ପାନୀଗୁଡ଼ିକ ପାଇଁ ଏହା ସମ୍ଭବ ହୋଇ ନ ଥାଏ । ବଜେଟ ସୀମାବଦ୍ଧତା ଯୋଗୁ ସେମାନଙ୍କୁ କର୍ମଚାରୀଙ୍କୁ ଆକର୍ଷିତ କରିବା ପାଇଁ ନୂତନ ଏବଂ ଅନନ୍ୟ ଉପାୟ ଗ୍ରହଣ କରିବାକୁ ପଡିଥାଏ। ଜାପାନର ଓସାକା ସ୍ଥିତ ଏକ ଛୋଟ ଟେକ କମ୍ପାନୀ ଟ୍ରଷ୍ଟ ରିଙ୍ଗ କୋ ଲିମିଟେଡ ନୂତନ ଉପାୟ ଆପଣାଇଛନ୍ତି । କମ୍ପାନୀ ତା’ର କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛି।
ଏହି କମ୍ପାନୀରେ କାମ ସମୟରେ କର୍ମଚାରୀଙ୍କୁ ମାଗଣାରେ ମଦ୍ୟପାନ ମିଳିବ । ଯଦି ଜଣେ କର୍ମଚାରୀ ଆବଶ୍ୟକତାଠାରୁ ଅଧିକ ମଦ୍ୟପାନ କରନ୍ତି, ତେବେ ତାଙ୍କୁ ‘ହ୍ୟାଙ୍ଗଓଭର ଲିଭ୍’ ମଧ୍ୟ ମିଳିବ । ଏମିତି କି ବିଳମ୍ବରେ ମଧ୍ୟ ଅଫିସ ଆସିପାରିବେ । ଟ୍ରଷ୍ଟ ରିଙ୍ଗର ସିଇଓ ନିଜେ କର୍ମଚାରୀମାନଙ୍କ ସହିତ ମଦ୍ୟପାନ କରନ୍ତି । ସେ ଏହାକୁ ଏକ ବିଶେଷ ସୁବିଧା ଭାବରେ ଦେଖନ୍ତି। ଯୁବପିଢ଼ିଙ୍କୁ ଆକର୍ଷିତ କରିବା ପାଇଁ ଏହି ନୀତି ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ସେମାନେ ଚାକିରିରେ ଅଧିକ ଆଗ୍ରହୀ ହେବେ ଏବଂ ଏକ ଆରାମଦାୟକ ପରିବେଶରେ କାମ କରିପାରିବେ ବୋଲି ସିଇଓ କହିଛନ୍ତି ।