ନୂଆ ଲୁକରେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟିମ ଇଣ୍ଡିଆର ଖେଳାଳିଙ୍କ ଲାଗି ନୂଆ ଜର୍ସି ତିଆରି ହୋଇଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ ଏହି ଜର୍ସି ପ୍ରସ୍ତୁତ ହୋଇଛି। ଶୁକ୍ରବାର ବିସିସିଆଇ ପକ୍ଷରୁ ଏହାକୁ ଉନ୍ମୋଚନ କରାଯାଇଛି। ଜର୍ସିରେ ତିରଙ୍ଗାକୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ଜର୍ସିର କାନ୍ଧ ପାଖରେ ତିରଙ୍ଗା ଚିହ୍ନ ରହିଛି। ଜର୍ସିର ଅନ୍ୟ ଅଂଶ ପାରମ୍ପରିକ ହାଲକା ନୀଳ ରଙ୍ଗର ରହିଛି।

ନୂଆ ଜର୍ସିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାରମ୍ପାରିକ ନୀଳ ରଙ୍ଗର ଏହି ନୂଆ ଜର୍ସିରେ ପୂର୍ବ ଭଳି ‘ଡ୍ରିମ୍ ୧୧’ ଲୋଗୋ ଏବଂ ‘ଇଣ୍ଡିଆ’ ଲେଖା ରହିଛି। ତେବେ ନୂଆ ଏକଦିବସୀୟ ଜର୍ସିର କାନ୍ଧରେ ‘ତ୍ରିରଙ୍ଗା’ ଚିହ୍ନ ସ୍ଥାନ ପାଇଛି। ସେହିପରି ଡାହାଣ ପାଖ ଛାତିରେ ଆଦିଦାସ ଲୋଗ ରହିଥିବାବେଳେ ବାମ ପାଖରେ ବିସିସିଆଇ ଲୋଗୋ ରହିଛି। ଏହି ବିସିସିଆଇ ଲୋଗୋ ଉପରେ ପୂର୍ବ ପରି ଦିନିକିଆ ବିଶ୍ୱକପ୍ ବିଜୟର ଚିହ୍ନ ସ୍ୱରୂପ ଦୁଇଟି ଷ୍ଟାର ସ୍ଥାନ ପାଇଛି।

ବିସିସିଆଇ ସମ୍ପାଦକ ଜୟ ଶାହ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ହରମନପ୍ରୀତ କୌର ଏହି ଜର୍ସିକୁ ଉନ୍ମୋଚନ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହରମନପ୍ରୀତଙ୍କ ନେତୃତ୍ୱାଧୀନ ମହିଳା ଦଳ ପ୍ରଥମ ଥର ପାଇଁ ନୂଆ ଜର୍ସି ପିନ୍ଧିବ। ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିବ। ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନୋଟି ଦିନିକିଆ ଏବଂ ତିନୋଟି ଟି୨୦ ମ୍ୟାଚ୍ ଖେଳାଯିବ। ଏହି ସମୟରେ ନୂଆ ଜର୍ସି ପିନ୍ଧିବ ମହିଳା ଦଳ। ଅନ୍ୟପଟେ ଭାରତୀୟ ପୁରୁଷ କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷରେ ଫେବୃଆରୀ ୨ ତାରିଖରୁ ଦିନିକିଆ ସିରିଜ୍ ଖେଳିବ। ଏହି ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୯ ତାରିଖରେ କଟକ- ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ଟିମ୍ ଇଣ୍ଡିଆ ନୂଆ ଜର୍ସିରେ ନଜର ଆସିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *