ନୂଆଦିଲ୍ଲୀ: ପ୍ରଥମେ ପ୍ରେମ । ପରେ ବ୍ରେକ୍ଅପ୍ । ଏବେ ଇର୍ଷା ଏବଂ ହତ୍ୟା । ପ୍ରେମ ଯେ କେତେ ଭୟଙ୍କର ହୋଇପାରେ ତାହା ଏଠାରେ ଦେଖିବାକୁ ମିଳିଛି । ପୂର୍ବତନ ପ୍ରେମିକ ଏବଂ ତାଙ୍କ ପ୍ରେମିକାଙ୍କୁ ପୋଡ଼ି ମାରିଦେଲେ ବଲିଉଡ଼ ଅଭିନେତ୍ରୀ ନର୍ଗିସଙ୍କ ଭଉଣୀ । ଏନେଇ ପୋଲିସ ତାଙ୍କ ଭଉଣୀ ଆଲିଆ ଫାଖରୀଙ୍କୁ ଗିରଫ କରିଛି । ନ୍ୟୁୟର୍କର କୁଇନ୍ସରେ ତାଙ୍କ ପୂର୍ବତନ ପ୍ରେମିକ ଏଡୱାର୍ଡ ଜେକବ୍ସ ଏବଂ ତାଙ୍କ ପ୍ରେମିକା ଆନାଷ୍ଟାସିଆ ଷ୍ଟାର ଏଟିନେଙ୍କୁ ହତ୍ୟା କରିଛନ୍ତି । ସେ ଈର୍ଷାରେ ଏପରି କରିଥିବା କୁହାଯାଉଛି । ଅଭିନେତ୍ରୀ ନର୍ଗିସ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ଆଲିଆ ଏକ ଦୁଇ ମହଲା ଗ୍ୟାରେଜରେ ନିଆଁ ଲଗାଇ ଦେଇଥିଲେ, ଯେଉଁଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ନର୍ଗିସୀଙ୍କ ମା କହିଛନ୍ତି, ମୁଁ କେବେ ବିଶ୍ୱାସ କରିପାରୁନି ଯେ, ଆଲିଆ କାହାକୁ ହତ୍ୟା କରିଥିବ। ସେ ଜଣେ ହିଁ ଥିଲା ଯିଏ କି ସମସ୍ତଙ୍କର ଯତ୍ନ ନେଉଥିଲା । ସେ ସମସ୍ତଙ୍କୁ ସାହାଯ୍ୟ କରିଥାଏ । ଘଟଣାସ୍ଥଳରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଆମକୁ କିଛି ଜଳୁଥିବାର ଗନ୍ଧ ଆସୁଥିଲା। ମୁଁ ଜାଣେ ନାହିଁ ଏହା ପେଟ୍ରୋଲିନ୍ ଥିଲା ନା କ’ଣ। ଆମେ ବାହାରକୁ ଦୌଡ଼ିଲୁ ଏବଂ ସିଡିରେ ଥିବା ସୋଫାରେ ନିଆଁ ଲାଗିଥିଲା ଏବଂ ଆମକୁ ବାହାରକୁ ବାହାରିବା ପାଇଁ ଏହା ଉପରକୁ ଡେଇଁବାକୁ ପଡିଥିଲା । ଷ୍ଟାର ମୋ ସହିତ ଡେଇଁ ପଡ଼ିଥିଲେ କିନ୍ତୁ ସେ ଜେକବ୍ସଙ୍କୁ ବଞ୍ଚାଇବାକୁ ପଛକୁ ଚାଲିଗଲେ ଓ ଜଳିଗଲେ ।