ରାତି ପାହିଲେ ନିର୍ବାଚନ; ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ଅଡୁଆରେ ପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ତାଙ୍କ ବିରୋଧରେ ବିଏନଏସ ଧାରା ୧୮୮ରେ ମାମଲା ରୁଜୁ ହୋଇଛି । ସରକାରୀ କାମରେ ବାଧା ସୃଷ୍ଟି କରିଥିବା ନେଇ ଆତିଶୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡା ମାରିବା ଘଟଣାରେ ଆତିଶୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ଦାୟର ହୋଇଛି ।

ନିକଟରେ ଦିଲ୍ଲୀରେ ଟ୍ରାଫିକ୍ ଜାମ୍ ଯୋଗୁ ଗାଡିଗୁଡ଼ିକର ଲମ୍ବା ଲାଇନ ଲାଗିଥିଲା । ଏହି ସମୟରେ ସାଗର ମେହେତା ନାମକ ଜଣେ ପୋଲିସ କର୍ମଚାରୀ ଭିଡ଼ିଓ କରୁଥିଲେ । ଏହି ସମୟରେ ଆତିଶୀ ତାଙ୍କ ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ । ତାଙ୍କର ଜଣେ ସମର୍ଥକ ପୋଲିସଙ୍କୁ ଚାପୁଡ଼ା ମାରିଥିଲେ । ଫଳରେ ଫୋନ୍ ତଳେ ପଡି ଯାଇଥିଲା । ଏହି ଭିଡିଓ ଆଧାରରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି । ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆପ୍ ଦଳରୁ କାଲକାଜୀରୁ ପ୍ରାର୍ଥୀ ହୋଇଛନ୍ତି । ମାମଲା ରୁଜୁ ହେବାକୁ ନେଇ ନିର୍ବାଚନ କମିଶନରଙ୍କୁ ଟାର୍ଗେଟ କରିଛନ୍ତି ଆତିଶୀ । ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ନିର୍ବାଚନ ଆୟୋଗ ବି ବଡ ଗଜବ! ରମେଶ ବିଧୁଡୀଙ୍କ ପରିବାର ସଦସ୍ୟ ଖୋଲାଖୋଲି ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରୁଛନ୍ତି । ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମୁଁ ଅଭିଯୋଗ ପାଇଁ ପୋଲିସକୁ ଡାକିଥିଲି । ଏହାକୁ ନେଇ ମୋ ଉପରେ ମାମଲା ଦାୟର ହୋଇଛି ।

ବୁଧବାର ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମତଦାନ ଅନୁଷ୍ଠିତ ହେବ । ଦିଲ୍ଲୀରେ ଏଥରକ ୧.୫୬ କୋଟି ମତଦାତା ୧୩,୭୬୬ଟି ମତଦାନ କେନ୍ଦ୍ରରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ୧୨୫୭ ଜଣ ତୃତୀୟ ଲିଙ୍ଗି ଭୋଟର ଅଛନ୍ତି । ଦିବ୍ୟାଙ୍ଗମାନଙ୍କ ଲାଗି ୭୩୩ଟି ମତଦାନ କେନ୍ଦ୍ର କରାଯାଇଛି । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଦିଲ୍ଲୀରେ ଏଥରେ ଏକ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଶାସକ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଟକ୍କର ହେବ । ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *