ନୂଆଦିଲ୍ଲୀ: ଆଉ ନାହାନ୍ତି ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ôଥକ ସୁଧାରର ଜନନାୟକ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଦେଶ ସ୍ତବ୍ଧ ହୋଇ ଯାଇଛି । ଶାନ୍ତ ଓ ସମର୍ପିତ ନେତୃତ୍ୱର ବଡ ଚେହେରା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆର୍ôଥକ ସଂସ୍କାରକ ମନମୋହନ ସିଂହଙ୍କ ବିୟୋଗରେ ତାଙ୍କୁ ଝୁରି ହେଉଛି ସାରାଦେଶ । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି ।
ବରିଷ୍ଠ କଂଗ୍ରେସ ନେତା ମନମୋହନ ଗୁରୁବାର ସନ୍ଧ୍ୟାରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଫଳରେ ରାତି ପ୍ରାୟ ୮ଟାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହୃଦୟରେ କିଛି ସମସ୍ୟା ଥିବାରୁ କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ନୀତିଶ ନାୟକଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନଙ୍କ ପରଲୋକରେ ଶୋକର ଛାୟା ଖେଳିଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି। ମନମୋହନଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ୩ ମୋତିଲାଲ ନେହେରୁ ମାର୍ଗରେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜେପି ନଡ୍ଡା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତିମ ସଂସ୍କାର କରାଯିବ।
୯୨ ବର୍ଷୀୟ ମନମୋହନ ସିଂହ ୨୦୦୪ରୁ ୨୦୧୪ ମଧ୍ୟରେ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହା ପୂର୍ବରୁ ସେ ୯୦ ଦଶକରେ ପିଭି ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ବେଳେ ଦେଶରେ ଅର୍ଥନୈତିକ ସଂସ୍କାର ଆରମ୍ଭ କରିଥିଲେ। ମନମୋହନ ସିଂହଙ୍କ ଅର୍ଥନୈତିକ ସଂସ୍କାରକୁ ଭାରତୀୟ ଅର୍ଥନୀତିର ମୂଳଦୁଆ ବୋଲି ବିବେଚନା କରାଯାଏ । ନିଜର ସରଳତା, ସଚ୍ଚୋଟତା ଓ ଉତ୍କୃଷ୍ଟ ଅର୍ଥନୀତି ପାଇଁ ଜଣାଶୁଣା ଥିଲେ। ତାଙ୍କର ନିଧନ ଭାରତୀୟ ରାଜନୀତି ଓ ଅର୍ଥବ୍ୟବସ୍ଥା ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି।