ଦୈନିକ ୩ ଲକ୍ଷ ଲୋକଙ୍କୁ ମାଗଣା ଭୋଜନ

ପ୍ରୟାଗରାଜ : ମହାକୁମ୍ଭର ସବୁଠୁ ବଡ଼ ରୋଷେଇ । ଦୈନିକ ୩ ଲକ୍ଷ ଲୋକଙ୍କୁ ମାଗଣା ଭୋଜନ । ପ୍ରାୟ ୧୧ ହଜାର ବର୍ଗଫୁଟ ଅଞ୍ଚଳରେ ହେଉଛି ରୋଷେଇ । ମହାକୁମ୍ଭରେ ଭଣ୍ଡାର ଲାଗି ପ୍ରତିଦିନ ୭୦ କ୍ୱିଣ୍ଟାଲ ଅଟା, ୧୦୦ କ୍ୱିଣ୍ଟାଲ ଚାଉଳ, ୩୦ କ୍ୱିଣ୍ଟାଲ ବେସନ, ୫୦ କିଲୋ ପରିବାପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକ ହୋଇଥାଏ । ସକାଳ ସମୟରେ ପ୍ରସାଦ ଭାବେ ଲୋକଙ୍କୁ ରୁଟି-ଭାତ ସହିତ ଡାଲି/କଢ଼ି/ଛୋଲେ ମିଳିଥାଏ । ରାତିରେ ଅଧିକାଂଶ ସମୟରେ ପୁରୀ-ତରକାରୀ ହୋଇଥାଏ । ଏଥିଲାଗି ୨୦୦୦ ରୋଷେୟା ରହିଛନ୍ତି । ବାସନକୁସନ ଏମିତି ଯେ ଥରକେ ଦେଢ଼ରୁ ୨ କ୍ୱିଣ୍ଟାଲ ଭାତ, ୨୫-୩୦ ହଜାର ଲୋକଙ୍କ ଲାଗି ତରକାରୀ ପ୍ରସ୍ତୁତ କରାଯାଉଛି । ଏହା ହେଉଛି ପ୍ରୟାଗରାଜ ମହାକୁମ୍ଭର ସବୁଠୁ ବଡ଼ ରୋଷେଇ । ଏଠାରେ ପ୍ରତିଦିନ ତିନିରୁ ସାଢ଼େ ତିନି ଲକ୍ଷ ଲୋକଙ୍କୁ ମାଗଣାରେ ଭୋଜନ ଯୋଗାଇ ଦିଆଯାଉଛି । ପୂରା ମହାକୁମ୍ଭରେ ୧୮-୨୦ କୋଟି ଲୋକଙ୍କୁ ଖାଦ୍ୟ ଖୁଆଇବା ସେମାନଙ୍କର ଲକ୍ଷ୍ୟ ।

‘ଲାଲ ମହେନ୍ଦ୍ର ଶିବ ଶକ୍ତି ସେବା ସମିତି’ ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଲାଗି ଏହି ବ୍ୟବସ୍ଥା କରିଛିି । ଏହା ପଛରେ ରହିଛି ‘ଓମ୍ ନମଃ ଶିବାୟ ବାବା’ ଭାବେ ପରିଚିତ ଲାଲ ମହେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କର ମହତ୍ ପ୍ରୟାସ । ଗତ ୩୨ ବର୍ଷ ହେଲା ତାଙ୍କର ଅନୁଷ୍ଠାନ ଅନେକ ଧାର୍ମିକ ଆୟୋଜନରେ ଭଣ୍ଡାର କରିଆସୁଛି ।

୧୯୯୨ ମସିହାରେ ଭାରତୀୟ ସେନାରୁ ରୋଷେୟା ଚାକିରି ଛାଡି଼ଥିଲେ ଲାଲ ମହେନ୍ଦ୍ର । ଏହାପରେ ନିଜ ଜୀବନକୁ ଭଗବାନ ଶିବଙ୍କ ପ୍ରତି ସମର୍ପିତ କରିଦେଇଥିଲେ । ଶିବଙ୍କ ନାମ ଜପ ଦ୍ୱାରା ହିଁ ଜୀବନ ସାର୍ଥକ ହେବ ବୋଲି ଲୋକଙ୍କୁ ପ୍ରବଚନ ମାଧ୍ୟମରେ ବୁଝାଉଥିଲେ । ପରବର୍ତ୍ତୀ ସମୟରେ ‘ଲାଲ ମହେନ୍ଦ୍ର ଶିବ ଶକ୍ତି ସେବା ସମିତି’ ଗଠନ କରିଥିଲେ । ନିଜର କିଛି ଅନୁଗାମୀଙ୍କୁ ନେଇ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସ୍ଥଳରେ ମାଗଣାରେ ଖାଦ୍ୟ ବାଣ୍ଟିବା ଆରମ୍ଭ କରିଥିଲେ । ମହାକୁମ୍ଭ ମେଳା କ୍ଷେତ୍ରର ସେକ୍ଟର-୧ରେ ତ୍ରିବେଣୀ ମାର୍ଗରେ ରହିଛି ତାଙ୍କର ମୁଖ୍ୟ ଭଣ୍ଡାର କେନ୍ଦ୍ର । ଏହାଛଡ଼ା ଆଉ ୬ଟି ସେକ୍ଟରରେ ମଧ୍ୟ ଭଣ୍ଡାର ଖୋଲାଯାଇଛି । ୭ଟି ଯାକ ଭଣ୍ଡାରରେ ୨୪ ଘଣ୍ଟା ଲୋକଙ୍କୁ ମାଗଣାରେ ଖାଦ୍ୟ ବିତରଣ କରାଯାଉଛି । ସେ ରାତି ଦୁଇଟା ହେଉ କିମ୍ବା ଭୋର ୪ଟା ଭଣ୍ଡାରକୁ ଆସୁଥିବା ଲୋକଙ୍କୁ ପ୍ରସାଦ ଭାବେ ଖାଦ୍ୟ ମିଳିଥାଏ । ଲୋକଙ୍କୁ ତଳେ ବସାଇ ଖାଦ୍ୟ ପରଷା ଯାଇଥାଏ ।

ଏହି ମହା ରୋଷେଇର ବ୍ୟବସ୍ଥାକୁ ବୁଝୁଥିବା ବିଶାଳ ଶ୍ରୀବାସ୍ତବ କହିଛନ୍ତି, ସଂଗଠନ ସହିତ ସଂପୃକ୍ତ ଲୋକଙ୍କୁ କୌଣସି ଦରମା ବା ପାରିଶ୍ରମିକ ଦିଆଯାଏନାହିଁ । ପ୍ରାୟ ୨୦୦୦ ଲୋକ ନିଃସ୍ୱାର୍ଥପର ଭାବେ ରୋଷେଇ ପ୍ରସ୍ତୁତିରେ ସାହାଯ୍ୟ କରିଥାନ୍ତି । ଖାଦ୍ୟ ମଧ୍ୟ ପରଷିଥାନ୍ତି । ସେମାନଙ୍କ ମଧ୍ୟରେ ମହିଳା ସେବାଦାର ମଧ୍ୟ ରହିଛନ୍ତି। ବାବାଙ୍କର ୪ଟି ସ୍ଥାନରେ ଆଶ୍ରମ ରହିଛି । ବିଭିନ୍ନ ସମସ୍ୟା ନେଇ ତାଙ୍କୁ ସାକ୍ଷାତ କରିବାକୁ ସେଠାକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଆସିଥାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *