ଉତ୍ତରପ୍ରଦେଶ: ଆଜିକାଲି ଅଧିକାଂଶ ଲୋକେ ୟୁଟ୍ୟୁବ ଦେଖି ବିଭିନ୍ନ ପ୍ରକାର ଜିନିଷ ଶିଖିଥାନ୍ତି । ପରେ ନିଜେ ତାହାକୁ କରି ବି ଥାନ୍ତିି । ଏବେ ଠିକ୍ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତର ପ୍ରଦେଶର ଜଣେ ଯୁବକ ୟୁଟ୍ୟୁବ ଦେଖି ନିଜ ପେଟ କାଟି ନିଜେ ନିଜର ଅପରେସନ କରିଛନ୍ତି । ଆଉ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଉତ୍ତରପ୍ରଦେଶର ୩୨ ବର୍ଷୀୟ ଯୁବକ ରାଜା ବାବୁ । ସେ କିଛି ଦିନ ହେବ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ। ଅନେକ ଡାକ୍ତରଙ୍କ ପରାମର୍ଶ ପରେ ବି ପେଟ ଯନ୍ତ୍ରଣା ଭଲ ହୋଇ ନ ଥିଲା। ପେଟ ଯନ୍ତ୍ରଣା କମ୍ କରିବା ପାଇଁ ଯୁବକ ଜଣକ ୟୁଟ୍ୟୁବରେ ଅନେକ ପେଟ ଅପରେସନର ଭିଡିଓ ଦେଖିବାକୁ ଲାଗିଲେ। ଆଉ ଶେଷରେ ପାଖ ମେଡିକାଲ ଷ୍ଟୋରରୁ ଔଷଧ, ସର୍ଜିକାଲ ବ୍ଲେଡ୍, ଆନାସ୍ଥେ୍ଥସିଆ ଏବଂ ସିଲାଇ ସାମଗ୍ରୀ କିଣି କରି ଆଣିଲେ। ଆଉ ନିଜେ ନିଜ ପେଟ କାଟି ଅପରେସନ କଲେ। ଯେତେବେଳ ଯାଏଁ ଆନାସ୍ଥେସିଆର ପ୍ରଭାବ ଦେହରେ ରହିଥିଲା କିଛି ଜଣା ପଡୁ ନ ଥିଲା।
ଆଉ ଯେତେବେଳେ ତାର ପ୍ରଭାବ ଧୀରେ ଧୀରେ କମିବାକୁ ଲାଗିଲା, ସେତେବେଳେ ଯନ୍ତ୍ରଣା ବି ଆରମ୍ଭ ହୋଇଗଲା । ପରେ ଅସହ୍ୟ ହୋଇପଡ଼ିଲା ଯନ୍ତ୍ରଣା । ଜୀବନ ବିକଳରେ ଚିତ୍କାର କରିବାକୁ ଲାଗିଲେ। ଆଉ ତାଙ୍କ ଚିତ୍କାର ଶୁଣି ଘର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ପାଖ ହସ୍ପିଟାଲକୁୁ ନେଇଗଲେ। ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଗ୍ରାର ଏସଏନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକଙ୍କ ଏପରି ହରକତ ଦେଖି ଡ଼ାକ୍ତର ଆଶ୍ଚର୍ଯ୍ୟ ହୋଇଗଲେ । ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା କହିଛନ୍ତି ଡ଼ାକ୍ତର ।