ଗଞ୍ଜାମ: ମଝି ରାସ୍ତାରେ ଅବତରଣ କଲା ହେଲିକପ୍ଟର । ଅଚାନକ ରାସ୍ତାରେ ହେଲିକପ୍ଟର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ । ଏହି ଖବର ପ୍ରଚାର ହେଉ ହେଉ ହେଲିକପ୍ଟର ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲା । ଲୋକେ ସେଲଫି ନେବା ଆରମ୍ଭ କଲେ । ଭିଡ଼ ଏପରି ହେଲା ଯେ ନିୟନ୍ତ୍ରଣ କରିବାକୁ ପୋଲିସକୁ ଘଟଣାସ୍ଥଳକୁ ଆସିବାକୁ ପଡ଼ିଲା । ଏପରି ଦେଖିବାକୁ ମିଳିଛି ଗଞ୍ଜାମ ଜିଲାରେ ।
ଶୁକ୍ରବାର ସୋରଡା ବ୍ଲକ୍ ଗୋପାଳପୁର ଶାସନ ଗାଁ ଆକାଶରେ ୨/୩ ଥର ଚକ୍କର କାଟିଲା ଏକ ହେଲିକପ୍ଟର। କିଛି ଉପାୟ ନ ପାଇ ଗୋପାଳପୁର ଶାସନ ଗାଁକୁ ଲମ୍ବିଥିବା ଏକ ଅଣଓସାରିଆ କଂକ୍ରିଟ୍ ରାସ୍ତା ଉପରେ ବାଧ୍ୟ ହୋଇ ହେଲିକପ୍ଟରଟି ଜରୁରୀ ଅବତରଣ କରିଥିଲା । ମେଘୁଆ ପାଗ ସହ ଝିପିଝିପି ବର୍ଷା କାରଣରୁ ଦୁର୍ଘଟଣା ଘଟିବା ଆଶଙ୍କାରେ ହେଲିକପ୍ଟରଟି ଗାଁ ରାସ୍ତାରେ ଅଚାନକ ଓହ୍ଲାଇଥିଲା । ଏହା ଜାଣିବା ପରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଲା । ଏମିତି କି ଆଖାପାଖ ଗାଁ ଗୋପାଳପୁରଶାସନ, ହରିପୁର, ପାଲକୋଟ, ନୂଆଗାଁ, ସୋରଡା, ଜୟସିଙ୍ଗି, ରତ୍ନପୁର, ଲାଉଖାଲ, ବାଦୁଆପଲ୍ଲୀ ଆଦି ୧୫ଟି ଗାଁର ଲୋକ ଛୁଟି ଆସିଲେ । ଅନେକ ନିଜ ନିଜ ମୋବାଇଲ୍ରେ ସେଲ୍ଫି ଓ ଫଟୋ ନେଉଥିବା ଦେଖିବାକୁ ମିଳିଥିଲା ।
ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହୋଇଥିବାରୁ ଅଧିକାଂଶ ସ୍କୁଲ ପିଲା ମଧ୍ୟ ସେଠାରେ ଭିଡ ଜମାଇଥିଲେ । ଭିଡ଼ ଅଣାୟତ ହେବାରୁ ସୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ôଚଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିଥିଲା । ଏହି ହେଲିକପ୍ଟରଟି କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହୋଇଥିବା ଜଣାଯାଇଛି । ହେଲେ ଏଥିରେ ସାଂସଦ ନଥିଲେ, କେବଳ ପାଇଲଟ୍ ଥେରୁବାଲିରୁ ଭୁବନେଶ୍ୱର ଯାଉଥିଲେ ।