ବେଙ୍ଗାଲୁରୁ: କରୋନା ପରେ ଏବେ ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ସଂକ୍ରମଣ। ଚୀନରେ ଦିନକୁ ଦିନ ପରିସ୍ଥିତି ଜଟିଳ ହେବା ପରେ ଏବେ ଏହି ସଂକ୍ରମଣ ଭାରତକୁ ବ୍ୟାପିଛି। ଭାରତରେ ଚିହ୍ନଟ ହୋଇଛି ପ୍ରଥମ ଏଚଏମପିଭି ଭାଇରସ୍। ବେଙ୍ଗାଲୁରୁର ଏକ ୮ ମାସର ଶିଶୁ ଏଚଏମପିଭି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ନେଇ ସାରା ଦେଶରେ ଏବେ ଆତଙ୍କ ଖେଳିଯାଇଛି । କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଆମେ ଏହାକୁ ଆମ ଲ୍ୟାବରେ ପରୀକ୍ଷା କରିନାହୁଁ। ଏକ ଘରୋଇ ଡାକ୍ତରଖାନାରେ ଏହି ମାମଲାର ଏକ ରିପୋର୍ଟ ଆସିଛି। ତେବେ ଘରୋଇ ହସ୍ପିଟାଲର ଏହି ରିପୋର୍ଟକୁ ଖଣ୍ଡନ କରୁଛି ସ୍ୱାସ୍ଥ୍ୟ ବିଭାଗ।
ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ସାଧାରଣତଃ ଶିଶୁମାନଙ୍କଠାରେ ଏଚଏମପିଭି ଭୂତାଣୁ ଦେଖିବାକୁ ମିଳିଥାଏ । ପ୍ରତି ଶିଶୁର ସାମ୍ପଲରେ ୦.୭ % ରହିଥାଏ ଏହି ଭୂତାଣୁ । ତେଣୁ ଭୟ କରିବାର କୌଣସି କାରଣ ନାହିଁ । ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ଏହି ସୂଚନା କେନ୍ଦ୍ର ସରକାରଙ୍କୁ ଦେଇଛି। ଲାବ୍ ରେ ଏହାର ଟେଷ୍ଟ ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ ।
କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିଶ୍ଚିତତା ନାହିଁ, ଏହି ଜୀବାଣୁ ପରିବେଶରେ ଦେଖିବାକୁ ମିଳେ ଏବଂ ଯଦି ପରୀକ୍ଷା କରାଯାଏ, ତେବେ ଅଧିକାଂଶ ଲୋକ ପଜିଟିଭ୍ ମିଳିବେ, ଏହା ଏକ ସାଧାରଣ ଜୀବାଣୁ। ବର୍ତ୍ତମାନ ଏହା ପାଇଁ କୌଣସି ଟିକା ନାହିଁ, କିନ୍ତୁ ଏହାର ଲକ୍ଷଣ ଥଣ୍ଡା ଭଳି। ୨୦୨୩ ମସିହାରେ ନେଦରଲ୍ୟାଣ୍ଡ, ବ୍ରିଟେନ, ଫିନଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ଚାଇନାରେ ଏଚଏମପିଭି ଚିହ୍ନଟ ହୋଇଥିଲା।