ନୂଆଦିଲ୍ଲୀ: ଆଶା ଥିଲା ରାଜଧାନୀ ଦିଲ୍ଲୀର ମଙ୍ଗ ଧରିବେ । ଆମ୍ ଆଦମୀ ପାର୍ଟିର ବଡ ମୁଣ୍ଡକୁ ହରେଇବାର ପୁରସ୍କାର ମିଳିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିବାର ପୁରସ୍କାର ସ୍ୱରୂପ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ମିଳିବ । ରାଜନୀତିର ଅଙ୍କ କଷୁଥିବା ଗଣନାକାରୀମାନେ ବି ଠିକ୍ ଏକଥା କହୁଥିଲେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମା ହେବେ । ବିଭିନ୍ନ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଥିଲା । ଆଉ ଏ ସବୁ ଚର୍ଚ୍ଚା ଭିତରେ ମନେମନେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିଲେ ପ୍ରବେଶ । ହେଲେ ସେମିତି କିଛି ହେଲାନି । ଗଣନାକାରୀଙ୍କ ଅଙ୍କ ବି ଭୂଲ ହୋଇଗଲା । ଶେଷରେ ଜଣେ ମହିଳାଙ୍କ ନାଁରେ ମୋହର ବାଜିଛି ।
ବୁଧବାର ସଂଧ୍ୟା ଯାଏଁ ମୁଖ୍ୟମନ୍ତ୍ରୀ ରେସରେ ଯେଉଁ ୫ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା ସେଥିରେ ସବୁଠୁ ଆଗରେ ଥିଲେ ପ୍ରବେଶ ବର୍ମା । ଚଳିତ ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ଆସନରୁ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ ପ୍ରବେଶ । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇବା ଏତେ ସହଜ ନୁହେଁ, ହେଲେ ତାହା କରି ଦେଖାଇଥିଲେ ପ୍ରବେଶ । ସେହି ନ୍ୟାୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ସବୁ ବାଟ ସଫା ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତାଙ୍କ ନାଁ ଘୋଷଣା କରାଯାଇଛି । ରେଖା ଗୁରୁବାର ରାମଲୀଳା ମୈଦାନରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସାଲିମାରବାଗରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ଦିଲ୍ଲୀ ବିଜେପିର ମହାସଚିବ ଅଛନ୍ତି । ଏଥିସହ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷ ବି ଅଛନ୍ତି ।