ଶ୍ରୀନଗର : ଦେଶରେ ଏବେ ବଢ଼ିବାରେ ଲାଗିଛି ଶୀତ ଲହରି। ଜାମ୍ମୁ କଶ୍ମୀରରେ ଅତ୍ୟଧିକ ଥଣ୍ଡା ହେଉଛି। ଅନେକ ଅଞ୍ଚଳରେ ତାପମାତ୍ରା ଶୂନରୁ କମରେ ପହଞ୍ଚିଛି । ଜାମ୍ମୁ କଶ୍ମୀରର ରାଜଧାନୀ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -୫.୯ ଡିଗ୍ରୀ ହୋଇଗଲାଣି । ଯାହାକି ଏହି ସିଜନର ସବୁଠାରୁ ଶୀତ ରାତି ଥିଲା । ଉତ୍ତର କଶ୍ମୀରର ଟଙ୍ଗମର୍ଗର ଦ୍ରୁଙ୍ଗରେ ଏକ ଜଳପ୍ରପାତ ଜମିଯାଇଛି , ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏକତ୍ରିତ ହେଉଛନ୍ତି । ଜଳପ୍ରପାତ ବରଫ ଜମି ରହିଛି। ଥଣ୍ଡାର ପ୍ରକୋପ ଏତେ ମାତ୍ରାରେ ଥିଲା କି ଜଳପ୍ରପାତକୁ ବରଫରେ ପରିଣତ କରାଇ ଦେଇଥିଲା। ଆଗକୁ ମଧ୍ୟ ଆହୁରି ତାପମାତ୍ରା ହ୍ରାସ ପାଇପାରେ।
ପାଣିପାଗ ବିଭାଗ ଅନୁଯାୟୀ ଜାମ୍ମୁ କଶ୍ମୀରର ଅନେକ ଜିଲ୍ଲାରେ ଶୀତ ଲହରୀ ହେବାର ସମ୍ଭାବନା ରହିଛି, ଯେଉଁ କାରଣରୁ ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ। ଏହି ସପ୍ତାହରେ ଶ୍ରୀନଗରରେ ସର୍ବାଧିକ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ ରହିପାରେ ଏବଂ ସର୍ବନିମ୍ନ ତାପମାତ୍ରା -୨ ରୁ -୪ ଡିଗ୍ରୀ ସେଲସିୟସ ରହିପାରେ ।
ଭାରତୀୟ ପାଣିପାଗ ଅନୁଯାୟୀ, ଡିସେମ୍ବର ୨୨ ରେ କଶ୍ମୀରର ଉଚ୍ଚ ସ୍ଥାନମାନଙ୍କରେ ହାଲୁକା ତୁଷାରପାତ ହେବାର ଆଶଙ୍କା ରହିଛି। କାଶ୍ମୀରରେ ପ୍ରବଳ ଥଣ୍ଡା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ କମ୍ ହେଉଛି । ଏପଟେ, ଚିଲାଇ କାଲାନ୍ ୨୧ ଡିସେମ୍ବରରୁ ଆରମ୍ଭ ହେଉଛି । ଅର୍ଥାତ୍, ଶୀତଦିନର ୪୦ଦିନର ଲମ୍ବା ଅବଧିକୁ ଚିଲାଇ କାଲାନ୍ କୁହାଯାଏ, ଯାହା ଡିସେମ୍ବର ୨୧ ରୁ ଆରମ୍ଭ ହୋଇ ଜାନୁଆରୀ ୩୦ ରେ ଶେଷ ହେବ । ଏହି ଚିଲାଇ କାଲାନ୍ ବେଳେ ଅଧିକାଂଶ ଜଳାଶୟ ଜମିଯାଇଥାଏ ।