ଭୁବନେଶ୍ୱର: ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ୱାସ ଓ ବନ୍ଧୁତାର ବତୀଘର, ମମତାର ମହକ, ଭାଇଚାରାର ବାର୍ତ୍ତାବହ । କେବେ ଆଲିଙ୍ଗନ ଶତ୍ରୁ କୁ ମିତ୍ର କରିଦିଏ ତ କେବେ ବର୍ଷ ବର୍ଷର ତିକ୍ତତା ଗୋଟେ ମିଠା ଆଲିଙ୍ଗନରେ ମେଣ୍ଟିଯାଏ । ହଜାରେ ରାଗ ପଛେ ଥାଉ- ଦେଖିବେ ଆପଣ ଜଣଙ୍କୁ ଯଦି ସ୍ନେହରେ କୋଳେଇ ନେଉଛନ୍ତିନା ତାହାଲେ ତାର ଅଧା ରାଗ କମିଯିବ, ଅଭିମାନ ଉଭେଇଯିବ । ତେଣୁ ତ ଆଲିଙ୍ଗନକୁ କେହି କେହି ସମ୍ପର୍କ ବଞ୍ଚାଇବାର ବୁଷ୍ଟରଡୋଜ୍ ବି କୁହନ୍ତି । ତେବେ ଆସନ୍ତୁ ଜାଣିବା ଜୀବନରେ ଆଲିଙ୍ଗନର ଆବଶ୍ୟକତା କେତେ ? ଆଲିଙ୍ଗନ କଲେ କେଉଁ ଲାଭ ମିଳେ ? ଦିନକୁ କେତେ ଥର ଆଲିଙ୍ଗନ କରିବା ଉଚିତ୍ ?
ସାଧାରଣତଃ ଆଲିଙ୍ଗନକୁ ଅନେକ ଔଷଧ ବୋଲି କୁହନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ ଏବଂ ଔଷଧ ପରି କାମ କରେ । ଚିକିତ୍ସା ବିଜ୍ଞାନରେ ଆଲିଙ୍ଗନକୁ ଏକ ଥେରାପିରେ ଗଣାଯାଇଥାଏ । ଗବେଷଣା କୁହେ, ଦିନକୁ ୮ ଥର ଆଲିଙ୍ଗନ କରିବା ଦ୍ୱାରା ମାନସିକ ସ୍ତରରେ ମଣିଷ ସୁସ୍ଥ ରୁହେ । ଆଉ ଦିନକୁ ୧୨ ଥର ଆଲିଙ୍ଗନ ଶରୀରକୁ ସୁସ୍ଥ ରଖେ । ଏମିତି କି ଆଲିଙ୍ଗନ ଚାପଗ୍ରସ୍ତ ଜୀବନକୁ ବି ମୁକ୍ତିଦିଏ । ମନ ପ୍ରଫୁଲ୍ଲ ରୁହେ । ଆଲିଙ୍ଗନ କରିଦେଲେ ସବୁ ଅବସାଦ ଦୂର ହୁଏ । ହାର୍ଟ ଆଟାକ୍ ସମସ୍ୟା ନ ଉପୁଜିବାର ସମ୍ଭାବନା ମଧ୍ୟ ଥାଏ ।
ଆଲିଙ୍ଗନ ସମୟରେ ଦେହରୁ ଅକ୍ସିଟୋସିନ୍ ହରମୋନ କ୍ଷରଣ ହୁଏ, ଯାହା ରକ୍ତଚାପ ହ୍ରାସ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଆଲିଙ୍ଗନ କଲେ ସମ୍ପର୍କ ସୁଦୃଢ ହୁଏ । ମନୋବଳ ବଢାଏ, ଶରୀରରେ ଉର୍ଜା ଭରେ, ମନରେ ସକରାତ୍ମକ ଶକ୍ତି ଭରେ । ଆଲିଙ୍ଗନ ଦାମ୍ପତ୍ୟ ଜୀବନକୁ ମଧୁମୟ କରେ, ନିମିଷକରେ ସବୁ ରାଗରୁଷା ଦୂର ହେଇଯାଏ । ଯଦି ଆପଣ ପ୍ରତିଦିନ ଆପଣଙ୍କ ପ୍ରିୟଜନଙ୍କୁ ୧୦ ରୁ ୨୦ ସେକେଣ୍ଡ ପାଇଁ ଆଲିଙ୍ଗନ କରନ୍ତି, ତେବେ ଅନେକ ଲାଭ ପାଇପାରିବେ ।
ତେଣୁ ନିଜ ଜୀବନ ସାଥୀ ହେଉ କି ଆପଣାର ପ୍ରିୟ ମଣିଷ, ତାକୁ ମନଇଚ୍ଛା ଆଲିଙ୍ଗନ କରନ୍ତୁ । ଦେଖିବେ ସମ୍ପର୍କ ସୁଦୃଢ ହେବ ଆଉ ଶରୀର ସୁସ୍ଥ ରହିବ । ତେଣୁ ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ଭାବେ ପାଳନ ମଧ୍ୟ କରାଯାଏ ।