୩ ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କଲେ ଦେବେ ଜରିମାନା

ୱିଲିଂଟନ: ଏହାର ଶୀର୍ଷକ ପଢିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଏଭଳି ଏକ ବିମାନବନ୍ଦର ରହିଛି ଯେଉଁଠି ନିଜ ପ୍ରିୟଜନଙ୍କୁ ଛାଡିବାକୁ ଆସୁଥିବା ଲୋକଙ୍କୁ ତିନି ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କରିବାକୁ ଦିଆଯାଇ ନ ଥାଏ । ଆଉ ୩ ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କଲେ ଭରିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଏପରି କଡ଼ା ନିୟମ କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଏପରି ନିୟମକୁ ନେଇ ଯାତ୍ରୀମାନେ ନାପସନ୍ଦ କରିଥିଲେ ମଧ୍ୟ ଏହି ନିୟମ ମାନିବାକୁ ବାଧ୍ୟ ହେଉଛନ୍ତି । ବିମାନବନ୍ଦର କର୍ତ୍ତୃପକ୍ଷ ଏଭଳି ଏକ ଅଜବ ନିୟମ ତିଆରି କରିବାର ଉଦ୍ଦେଶ୍ୟ ହେଉଛି ସୁରକ୍ଷା ବଜାୟ ରଖିବା ଏବଂ ବିମାନ ବନ୍ଦରରେ ଭିଡ଼ କମାଇବା।

ନ୍ୟୁଜିଲ୍ୟାଣ୍ଡର ଡ୍ୟୁନିଡେନ୍ ସହରରେ ଥିବା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଭଳି କଡ଼ା ନିୟମ କରାଯାଇଛି । ଏଠାରେ ଡ୍ରପ୍ ଅଫ୍ ଜୋନ୍‌ରେ ଆଲିଙ୍ଗନ ପାଇଁ ତିନି ମିନିଟ୍‌ର ସମୟ ସ୍ଥିର କରାଯାଇଛି । ତିନି ମିନିଟ୍‌ରୁ ଅଧିକ ସମୟ ଆଲିଙ୍ଗନ କଲେ ଲୋକେ ଅସୁବିଧାରେ ପଡ଼ିଥାନ୍ତି। ଏହି ସମୟ ଅତିକ୍ରମ କରିବା ମାତ୍ରେ ସେଠାରେ ଉପସ୍ଥିତ କର୍ମଚାରୀମାନେ ତୁରନ୍ତ ପହଞ୍ଚିବେ। ଏହା ସହିତ ଜରିମାନା ଆଦାୟ କରିବେ। ବିମାନବନ୍ଦର ପରିଚାଳନା ବୋର୍ଡ କହିଛନ୍ତି ଯେ ଏହି ଚେତାବନୀ ବାର୍ତ୍ତା ସାଧାରଣତଃ ବିମାନବନ୍ଦରର ଡ୍ରପ୍ ଅଫ୍ ଜୋନ୍‌ରେ ଦିଆଯାଇଥାଏ। ଉଲ୍ଲଂଘନକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ମଧ୍ୟ ଅଛି । ବାସ୍ତବରେ, ଡ୍ରପ୍‌-ଅଫ୍ ଜୋନ୍‌ରେ ଅତ୍ୟଧିକ ଭିଡ଼କୁ ଏଡ଼ାଇବା ପାଇଁ ଏବଂ ଲୋକମାନଙ୍କୁ ଏଠାରେ ଅଧିକ ସମୟ ଅଟକି ନ ରଖିବା ପାଇଁ ଆଲିଙ୍ଗନ ଲାଗି ଏକ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହା କରିବା ଦ୍ୱାରା ବିମାନବନ୍ଦରରେ ଅନାବଶ୍ୟକ ଟ୍ରାଫିକ୍‌, ଯାନବାହାନ ଏବଂ ଲୋକଙ୍କ ଭିଡ଼ କମିଯାଇଥାଏ। ଏହା ଦ୍ୱାରା ଲୋକଙ୍କ ନିରାପତ୍ତାରେ କୌଣସି ଅସୁବିଧା ମଧ୍ୟ ସୃଷ୍ଟି କରି ନ ଥାଏ।

ବିମାନବନ୍ଦର ପରିଚାଳନାର ଯୁକ୍ତି ହେଉଛି , ଯେଉଁମାନେ ନିଜ ପରିବାର ସଦସ୍ୟ କିମ୍ବା ପ୍ରିୟଜନଙ୍କୁ ଛାଡିବାକୁ ଆସନ୍ତି, ସେମାନେ ବିଦାୟ ଦେବା ସମୟରେ ଅନାବଶ୍ୟକ ଭାବେ ଭାବପ୍ରବଣ ହୋଇ ଆଲିଙ୍ଗନ କରିଥାନ୍ତି । ହେଲେ ବହୁ ସମୟ ନେବା ଉଚିତ୍ ନୁହେଁ। ଡ୍ରପ୍ ଅଫ୍ ଜୋନ୍ ସମସ୍ତଙ୍କ ପାଇଁ ରହିଛି। କିନ୍ତୁ, ଅନେକ ଲୋକ ଏଠାରେ ବହୁ ସମୟ ଅଟକି ରହିବା ଉଚିତ୍ ନୁହେଁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *