ନୂଆଦିଲ୍ଲୀ: ହାତୀ ନେଉଛି ଜୀବନ।ହାତୀ ଆକ୍ରମଣରେ ଚାଲି ଯାଉଛି ଅନେକ ପ୍ରାଣ। ୫ ବର୍ଷରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଗତ କିଛି ବର୍ଷ ମଧ୍ୟରେ, ଭାରତରେ ହାତୀ ଏବଂ ମଣିଷ ମଧ୍ୟରେ ସଂଘର୍ଷର ଘଟଣା ବୃଦ୍ଧି ପାଇଛି। ଜଙ୍ଗଲ ଅଞ୍ଚଳରେ ଘଟୁଥିବା ଏହି ଘଟଣାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ଏପରି ପରିସ୍ଥିତିରେ, ଏହି ସମସ୍ୟା ସରକାରଙ୍କ ପାଇଁ ମଧ୍ୟ ଏକ ସଙ୍କଟ ସୃଷ୍ଟି କରିଛି।
ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ହାତୀ ଆକ୍ରମଣରେ ୨୮୦୦ ଲୋକ ପ୍ରାଣ ହରାଇଛନ୍ତି। ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟାରେ ଓଡ଼ିଶା ଶୀର୍ଷରେ ଅଛି। ଏଠାରେ, ୨୦୧୯ ରୁ ୨୦୨୪ ପର୍ଯ୍ୟନ୍ତ ୬୨୪ ଜଣଙ୍କର ମୃତ୍ୟୁ ହୋଇଛି। ଓଡ଼ିଶା ପରେ ଝାଡ଼ଖଣ୍ଡ ଅଛି, ଯେଉଁଠାରେ ୪୭୪ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ତାଲିକାରେ ପଶ୍ଚିମବଙ୍ଗ ତୃତୀୟ ସ୍ଥାନରେ ଅଛି। ଗତ ପାଞ୍ଚ ବର୍ଷ ମଧ୍ୟରେ, ପଶ୍ଚିମବଙ୍ଗରେ ୪୩୬ ଜଣ ପ୍ରାଣ ହରାଇଛନ୍ତି। ଏପର୍ଯ୍ୟନ୍ତ ଆସାମରେ ହାତୀ ଆକ୍ରମଣରେ ୩୮୩ ଜଣଙ୍କର ମୃତ୍ୟୁ ଘଟିସାରିଛି। ଛତିଶଗଡ଼ରେ ମଧ୍ୟ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବାର ମାମଲା ରେକର୍ଡ କରାଯାଇଛି। ପାଞ୍ଚ ବର୍ଷ ମଧ୍ୟରେ ଏଠାରେ ୩୦୩ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ତାମିଲନାଡୁର ପାଳି ଆସେ। ଯେଉଁଠାରେ ହାତୀ ଆକ୍ରମଣରେ ୨୫୬ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକ, କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ହାତୀ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କର୍ଣ୍ଣାଟକରେ ୧୬୦, କେରଳରେ ୮୪ ଏବଂ ଅନ୍ୟାନ୍ୟ ରାଜ୍ୟରେ ୯୩ ଜଣଙ୍କ ମୃତ୍ୟୁ ଘଟିଛି।
ତଥ୍ୟ ଅନୁଯାୟୀ, କରୋନା ସମୟ (୨୦୨୨-୨୧)ରେ ହାତୀ ଆକ୍ରମଣ ହ୍ରାସ ପାଇଥିଲା। ଏହି ବର୍ଷ ୪୪୪ ଜଣଙ୍କ ମୃତ୍ୟୁ ଘଟିଛି। ତଥାପି, ଏହା ପରେ ପରବର୍ତ୍ତୀ ବର୍ଷରେ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଲା।