ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ଉଦିତ ନାରାୟଣ ଅନେକ ଥର କୋର୍ଟରେ ଅନୁପସ୍ଥିତ ଥିବାରୁ ଅଦାଲତ ତାଙ୍କୁ ୧୦ ଟଙ୍କା ଜରିମାନା ଆଦାୟ କରିଥିଲେ।
ପାରିବାରିକ ଅଦାଲତର ମୁଖ୍ୟ ବିଚାରପତି ରାହୁଲ ଉପାଧ୍ୟାୟ ଉଦିତ ନାରାୟଣଙ୍କୁ ୨୦୨୫ ଜାନୁଆରୀ ୨୮ ସୁଦ୍ଧା ଜବାବ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଥିଲେ। ରଞ୍ଜନାଙ୍କ ଓକିଲ ଅଜୟ କୁମାର କହିଛନ୍ତି, ତାଙ୍କ କ୍ଲାଏଣ୍ଟଙ୍କ କୋର୍ଟ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ତାଙ୍କ ଅଧିକାର ସୁରକ୍ଷିତ ରହିବ ବୋଲି ଆଶା ରଖିଛନ୍ତି। ରଞ୍ଜନା ନାରାୟଣ ଝା ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିବା ସହ ବୟସ ଓ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କ ସହ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ସେତେବେଳେ ତାଙ୍କ ପଛରେ ଗୁଣ୍ଡା ଲଗାଯାଏ।
କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଛନ୍ତି, କୋର୍ଟରେ ଉଦିତ ନାରାୟଣ କୌଣସି ସମାଧାନକୁ ଅସ୍ୱୀକାର କରିବା ସହ ମାମଲା ଲଢ଼ିବେ ବୋଲି କହିଥିଲେ। ବିବାହ ପରେ ମଧ୍ୟ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳି ନ ଥିଲା ଏବଂ ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା ବୋଲି ରଞ୍ଜନା ଅଭିଯୋଗ କରିଛନ୍ତି। ଅଦାଲତରୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏହି ମାମଲା ପୁଣି ଥରେ ବଲିଉଡତାରକାମାନଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସନ୍ତୁଳନ ରକ୍ଷା କରିବାର ଆହ୍ୱାନକୁ ଆଲୋକପାତ କରିଛି । ତେବେ ଏ ନେଇ ଉଦିତ ନାରାୟଣଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।