ମୁମ୍ବାଇ: ମୁଁ ରାଜନୀତିରେ ଏଣ୍ଟ୍ରି କଲେ ମୋତେ ଗୁଳି କରି ମାରିଦେବେ । ସେଥିଲାଗି ମୁଁ ରାଜନୀତି କରିନାହିଁ । କାରଣ ମୋର ସଚ୍ଚୋଟତା ଓ ଭୁଲକୁ ସହ୍ୟ କରିପାରୁ ନ ଥିବାରୁ ରାଜନୀତିରେ ରହିବା ମୋ ପାଇଁ ଚ୍ୟାଲେଞ୍ଜ ହୋଇଥାନ୍ତା। ଏପରି କହିଛନ୍ତି ବଲିଉଡ଼ ଅଭିନେତ୍ରୀ ରବିନା ଟଣ୍ଡନ । ସେ କାହିଁକି ରାଜନୀତିରେ ପ୍ରବେଶ କରିପାରିନାହାନ୍ତି ସେ ନେଇ କହିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଭାଇରାଲ ହେଉଥିବା ଭିଡ଼ିଓରେ ରବିନା କହୁଛନ୍ତି ଯେ , ମୁଁ ସତକୁ ମିଛରେ ପରିବର୍ତ୍ତନ କରିପାରିବି ନାହିଁ। ଏହା ମୋ ପାଇଁ କଷ୍ଟସାଧ୍ୟ ହୋଇଯାଏ । କାରଣ ଯାହାକୁ ମୁଁ ନାପସନ୍ଦ କରେ ତାହା ମୋ ମୁହଁରେ ପ୍ରତିଫଳିତ ହୁଏ । ତା’ପରେ ମୁଁ ଏହା ପାଇଁ ଝଗଡା ଆରମ୍ଭ କରେ। ଆଜିର ଦୁନିଆରେ ସଚ୍ଚୋଟତା ବୋଧହୁଏ ସର୍ବୋତ୍ତମ ନୀତି ନୁହେଁ। ଯେଉଁ ଦିନ ମୁଁ ରାଜନୀତିରେ ପ୍ରବେଶ କରିବି, ମୋର ବ୍ୟବହାର ପାଇଁ କେହି ଜଣେ ମୋତେ ଗୁଳି କରି ଦେବ। ଏହି ଭିଡ଼ିଓକୁ ପୁରୁଣା ବୋଲି ଜଣାଯାଇଛି ।
ଏହି ଭିଡିଓଟି ୨୦୨୨ ମସିହାର ଅଟେ। ଏଥିରେ ୟୁଜର୍ସମାନେ ତାଙ୍କୁ ରାଜନୀତିରେ ପ୍ରବେଶ କରିପାରିବେ କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ସେ ଏପରି କହିଛନ୍ତି । ଏପରି ଏକ ସମୟ ଥିଲା ଯେତେବେଳେ ସେ ରାଜନୀତିରେ ପ୍ରବେଶ କରିବାକୁ ଗମ୍ଭୀର ଭାବରେ ଚିନ୍ତା କରୁଥିଲେ। ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ମୁମ୍ବାଇ ସମେତ ଦେଶର ଅନେକ ଅଞ୍ଚଳରେ ତାଙ୍କୁ ରାଜନୈତିକ ଆସନ ପାଇଁ ଅଫର ମିଳିଛି। ତେବେ ସେ ସେହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ।