ନୂଆଦିଲ୍ଲୀ: ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି । ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଭାଜପା ନେତା ତଥା କାଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ଥିବା ରମେଶ ବିଧୁରୀ । ଏହାକୁ ନେଇ ଏବେ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏବେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ପୁରା ସରଗରମ। ଆପ୍-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ ପ୍ରତ୍ୟେହ ରାଜନୈତିକ ବୟାନବାଜି ଦେଖିବାକୁ ମିଳୁଛି। ଭାଜପା ନେତା ତଥା କାଲକାଜୀ ବିଧାନସଭା ଆସନରୁ ପ୍ରାର୍ଥୀ ଥିବା ରମେଶ ବିଧୁରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସ ଏମ୍ପି ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ନିର୍ବାଚନରେ ବିଜେତା ହେଲେ ସେ କାଲକାଜୀର ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବେ ବୋଲି କହିଛନ୍ତି।
ଭାଇରାଲ ଭିଡ଼ିଓରେ ଭାଜପା ନେତା ବିଧୁରୀ କହୁଛନ୍ତି, ଲାଲୁ କହିଥିଲେ ଯେ ବିହାରରେ ରାସ୍ତାଗୁଡ଼ିକ ହେମା ମାଳିନୀଙ୍କ ଭଳି କରିଦେବି। ହେଲେ ସେ ମିଛ କହିଥିଲେ। ସେ ତାହା କରିପାର ନ ଥିଲେ। ମୁଁ କିନ୍ତୁ କହିବାକୁ ଚାହିଁବି ଯେ, ଯେଉଁଭଳି ଓଖଲାର ରାସ୍ତାକୁ କରିଛୁ, ସଂଗମ ବିହାରର ରାସ୍ତାକୁ କରିଛୁ, ସେହିଭଳି କାଲକାଜିରେ ସମସ୍ତ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି।
ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ମଧ୍ୟ ଜବାବ ରଖିଛି। କଂଗ୍ରେସ ନେତା ପୱନ ଖେଡା ଏକ୍ସରେ ଭିଡିଓଟିକୁ ସେୟାର କରିଛନ୍ତି। ବିଧୁରୀଙ୍କ ଏହି ବିବାଦୀୟ ବୟାନ ପରେ କଂଗ୍ରେସ ଭାଜପାକୁ ଟାର୍ଗେଟ କରୁଛି। ନିଜର ଅସନ୍ତୋଷ ବ୍ୟକ୍ତ କରି ପୱନ ଲେଖିଛନ୍ତି ଯେ, ଏଭଳି ଅସଦାଚରଣ କେବଳ ଏହି ଘୃଣ୍ୟ ବ୍ୟକ୍ତି ହିଁ ପ୍ରଦର୍ଶନ କରିପାରିବେ। ଏହା ତାଙ୍କ ମାଲିକଙ୍କ ଅସଲ ମୁଖା ଦର୍ଶାଉଛି ବୋଲି ସେ କହିଛନ୍ତି।
ଭାଜପା ଶନିବାର ୨୯ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ କାଲକାଜୀ ଆସନରୁ ଉଗ ଆତିଶୀଙ୍କ ବିରୋଧରେ ରମେଶଙ୍କୁ ଟିକେଟ ମିଳିଛି। ଏହି ଆସନରେ କଂଗ୍ରେସ ଅଳକା ଲାମ୍ବାଙ୍କୁ ଟିକେଟ ଦେଇଛି।