ପାହାଡ ଉପରେ ଫୁଟେ ଏହି ଫୁଲ

ଉତ୍ତରାଖଣ୍ଡ: ପୃଥିବୀରେ ଅସଂଖ୍ୟ ଫୁଲ ଦେଖିବାକୁ ମିଳେ । ଏହି ସମସ୍ତ ଫୁଲଗୁଡ଼ିକର କିଛି ନା କିଛି ନିଜସ୍ଵ ମହତ୍ତ୍ୱ ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଉତ୍ତରାଖଣ୍ଡର ସେହି ଫୁଲ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭଗବାନଙ୍କ ପ୍ରିୟ ଫୁଲ କୁହାଯାଏ । ଏହି ଫୁଲର ଅନେକ ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଫୁଲର ନାଁ ହେଉଛି ବ୍ରହ୍ମକମଳ ।

ବ୍ରହ୍ମକମଳ ଫୁଲ ହେଉଛି ଉତ୍ତରାଖଣ୍ଡର ରାଜକୀୟ ଫୁଲ । ଏବଂ ଏହା ସବୁଠାରୁ ପବିତ୍ର ଫୁଲ ମଧ୍ୟ । ଏହି ଫୁଲ ପାଇବାକୁ କିମ୍ବା ଦେଖିବାକୁ ହେଲେ ବହୁ ଉଚ୍ଚ ପର୍ବତ ଶିଖର ଉପରକୁ ଯିବାକୁ ପଡିଥାଏ । ଉତ୍ତରାଖଣ୍ଡର ଛୋଟ ଛୋଟ ପାହାଡରେ ଏହି ଫୁଲ ଦେଖିବାକୁ ମିଳିନଥାଏ । ବ୍ରହ୍ମକମଳ ଫୁଲ ହିମାଳୟ ଅଞ୍ଚଳରେ କିମ୍ବା ତା’ର ଆଖପାଖ ଅତ୍ୟଧିକ ଥଣ୍ଡା ଅଞ୍ଚଳରେ ଫୁଟିଥାଏ । ରାତିରେ ଫୁଟୁଥିବା ଏହି ଫୁଲକୁ ଦେବ ପୁଷ୍ପ ମଧ୍ୟ କୁହାଯାଏ । ବିଶ୍ୱାସ ରହିଛି ଯେ, ବ୍ରହ୍ମକମଳ ଫୁଲ ସେହିମାନଙ୍କ ବଗିଚାରେ ଫୁଟେ ଯେଉଁମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ପୁରାଣ ଅନୁସାରେ, ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଥାଏ । ଏବଂ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ ଥିବା ବିଷ୍ଣୁ ଓ ଶିବଙ୍କର ଏହା ପ୍ରିୟ ପୁଷ୍ପ ଅଟେ । ଜଗନ୍ନାଥଙ୍କଠାରେ ମଧ୍ୟ ଏହି ଫୁଲ ଅର୍ପଣ କରାଯାଇଥାଏ। ପୁରାଣ ଅନୁସାରେ ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ବ୍ରହ୍ମକମଳ ଫୁଲ । ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ।

ଅନ୍ୟପଟେ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ବିଷ୍ଣୁଙ୍କ ନାଭିରୁ ଏକ କମଳ ସୃଷ୍ଟି ହୋଇଥିଲା । ଏବଂ ସେଥିରୁ ବ୍ରହ୍ମା ସୃଷ୍ଟି ହୋଇଥିଲେ । ସେଥିପାଇଁ ଏହାର ନାମ ‘ବ୍ରହ୍ମକମଳ’ ରଖାଯାଇଥିଲା । ଏହାପରେ ବ୍ରହ୍ମା ବିଶ୍ୱବ୍ରହ୍ମାଣ୍ଡକୁ ସର୍ଜନା କରିଥିଲେ। ବ୍ରହ୍ମକମଳ ବର୍ଷକରେ କେବଳ ଥରେମାତ୍ର ଫୁଟିଥାଏ । ବର୍ଷାଋତୁ ଆରମ୍ଭରେ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ମାସର ମଧ୍ୟରାତ୍ରି ବେଳକୁ ଏହି ଫୁଟିଥାଏ। ମାତ୍ର ତାହା କେଇ ଘଣ୍ଟା ପାଇଁ ସତେଜ ଥାଏ । ସୂର୍ଯ୍ୟୋଦୟ ପୂର୍ବରୁ ଏହି ଫୁଲ ଝାଉଁଳିଯାଏ। ଏହାର ସୁଗନ୍ଧରେ ଖଣ୍ଡମଣ୍ଡଳ ଆଚ୍ଛନ୍ନ ହୋଇଯାଏ। ସାଧାରଣତଃ ଏହି ଫୁଲର ରଙ୍ଗ ଧଳା ।

କୁହାଯାଏ ଯେ, ଭଗବାନ ଶିବଙ୍କୁ ଯିଏ ବ୍ରହ୍ମକମଳ ଫୁଲ ଅର୍ପଣ କରେ, ତା’ର ଭାଗ୍ୟରେ ସୁଖ, ସମୃଦ୍ଧି ବଢିଯାଏ ଏବଂ ଘରେ ଶାନ୍ତି ବଜାୟ ରହିଥାଏ । କେହି କେହି କୁହନ୍ତି ଯେ ଏହି ଫୁଲକୁ ଦେଖିବା ମଧ୍ୟ ଦ୍ଵାରା ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଏହି ଫୁଲକୁ ଛୁଇଁଲେ, ଅଜାଣତରେ ହୋଇଥିବା ପାପ କ୍ଷୟ ହୁଏ ।

ତେବେ ୨୦୦୭ ମସିହାରେ ଯେତେବେଳେ ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟି ହେଲା ସେତେବଳେ ବ୍ରହ୍ମକମଳ ଫୁଲକୁ ଉକ୍ତ ରାଜ୍ୟର ରାଜ୍ୟ ଫୁଲ ଭାବେ ଘୋଷଣା କରାଗଲା । କହିବାକୁ ଗଲେ କେବଳ ଉତ୍ତରାଖଣ୍ଡ ନୁହେଁ ହିମାଳୟ ପର୍ବତମାଳା, ନେପାଳ, ଭୁଟାନ, ପାକିସ୍ତାନରେ ତଥା ଦକ୍ଷିଣପୂର୍ବ ଚାଇନାର ବହୁ ଉଚ୍ଚ ପର୍ବତରେ ଏହି ଫୁଲ ଦେଖିବାକୁ ମିଳେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *