ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ, ଭୁଲ୍ ମାଗିଲେ ଷ୍ଟୁଡ଼ିଓ ମାଲିକ

ଭୁବନେଶ୍ୱର: ନିଜ ଶରୀରରେ ଟାଟୁ କରିବା ଆଜିକାଲିର ଯୁବପିଢିଙ୍କ ପାଇଁ ଏକ ପ୍ରକାର ଟ୍ରେଣ୍ଡ ପାଲଟିଛି । କିଏ ନିଜ ପ୍ରିୟଜନଙ୍କ ନାମ ଲେଖୁଥିବା ବେଳେ ଆଉ କିଏ ଦେବାଦେବୀଙ୍କୁ ଟାଟୁରେ ଉତାରିଥାନ୍ତି । କିନ୍ତୁ ଏବେ ଜଣେ ବିଦେଶିନୀ ତାଙ୍କ ଜଙ୍ଘରେ ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ର ଟାଟୁ କରିଛନ୍ତି । ଯାହା ମହାପ୍ରଭୁଙ୍କର ଘୋର ଅପମାନ । ଏହା କୋଟି କୋଟି ଓଡ଼ିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି। ରକି ଟାଟୁଜ୍ ନାମକ ଏକ ଷ୍ଟୁଡିଓର ଇନଷ୍ଟା ଷ୍ଟୋରିରେ ଉକ୍ତ ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତ୍ର ଥିବା ଫଟୋ ଭାଇରାଲ ହୋଇଥିଲା।

ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଟାଟୁ ଆର୍ଟିଷ୍ଟ୍ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗରସ୍ଥିତ ରକି ଟାଟୁଜ୍ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇ ଇଟାଲୀର ଜଣେ ଯୁବତୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତ୍ର ଟାଟୁ କରିଥିଲେ । ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଏହା ସେୟାର କରିଥିଲେ । ଏହାପରେ ଘଟଣା ପଦାକୁ ଆସିଥିଲା। ଏହା ହିନ୍ଦୁ ଧର୍ମୀୟ ଭାବନାରେ କୁଠାରାଘାତ ସହ ଜଗନ୍ନାଥଙ୍କୁ ଅପମାନିତ କରାଯାଇଥିବା ନେଇ କେତେଜଣ ସାମାଜିକ କର୍ମୀ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି । ଜଗନ୍ନାଥ ସଂସ୍କୃତିକୁ ରକି ଅପମାନିତ କରିଥିବା ନେଇ ତାଙ୍କ ବିରୋଧରେ କେତେଜଣ ସାମାଜିକ କର୍ମୀ ଶହୀଦନଗର ଥାନାରେ ଏତଲା ଦେଇଥିଲେ । ତାଙ୍କୁ ତୁରନ୍ତ ଗିରଫ କରିବାକୁ ମଧ୍ୟ ଦାବି କରିଥିଲେ । ପୋଲିସ ଏହି ଘଟଣା ସଂକ୍ରାନ୍ତରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗକାରୀ ସାଗର କୁମାର ସାହୁ, ବିନ୍ଦୁଜା ଉପାଧ୍ୟାୟ ପ୍ରମୁଖ କହିଛନ୍ତି ଯେ, ଜଗନ୍ନାଥ କ’ଣ ତାଙ୍କର ପୈତୃକ ସମ୍ପତ୍ତି । ଏହା ଅଭଦ୍ର ଆଚରଣ ବୋଲି ଅଭିହିତ କରିଛନ୍ତି। ଅପରପକ୍ଷରେ ରକି ରଞ୍ଜନ ନିଜ ଇନ୍‌ଷ୍ଟାଗ୍ରାମରେ ଭିଡିଓ ସେୟାର କରି ଏହି କାମକୁ ଭୁଲ୍ ଦର୍ଶାଇବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ବର୍ତ୍ତମାନ ଉକ୍ତ ଟାଟୁକୁ ଲିଭାଗଲେ ସଂକ୍ରମଣ ହୋଇଯିବାର ଆଶଙ୍କା ରହିଛି। ଯୁବତୀ ଜଣକ ୨୫ ଦିନ କିମ୍ବା ମାସେ ପରେ ଏଠାକୁ ଆସି ଟାଟୁକୁ ଲିଭାଇବେ କିମ୍ବା ତାହା ପରିବର୍ତ୍ତେ ସେହି ସ୍ଥାନରେ ଆଉ କିଛି ଆର୍ଟ କରିବେ ବୋଲି ସେ ଜଣାଇଥିବା ରକି କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *