ଭୋପାଳ: ସଂସ୍କୃତ ସାହିତ୍ୟର ଅନନ୍ୟ କିମ୍ବଦନ୍ତୀ ପୁରୁଷ କବି କାଳି ଦାସ ନିଜ ସାହିତ୍ୟ ସାଧନା ପାଇଁ ବିଶ୍ୱ ବିଦିତ । ଖାସ୍କରି ଭାରତୀୟ ସଂସ୍କୃତି ସହିତ ଯୋଡ଼ି ହୋଇଥିବା ତାଙ୍କ ଅନବଦ୍ୟ ସୃଷ୍ଟି ତାଙ୍କୁ ଭିନ୍ନ ପରିଚୟ ଦେଇଛି । ତେବେ ଏତେବଡ଼ ସାହିତ୍ୟିକ ହୋଇଥିଲେ ମଧ୍ୟ ଅନେକ ସମୟରେ ତାଙ୍କ କାର୍ଯ୍ୟ ପାଇଁ ସେ ଚର୍ଚ୍ଚିତ । ଯେମିତି କି ଯେଉଁ ଡ଼ାଳରେ ବସିଛନ୍ତି ତାକୁ ନିଜେ କାଟୁଥିବା ପ୍ରସଙ୍ଗ ନେଇ ସେ ସମାଲୋଚିତ । ଏବେ ଠିକ୍ ସେହିପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକଙ୍କୁ କଳିଯୁଗର କାଳିଦାସ ବୋଲି ମତ ରଖିଛନ୍ତି ।
ଏହି ଭିଡ଼ିଓଟି ଭୋପାଳର ବେରାସିଆର । ଏହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ହସି ହସି ଗଡ଼ି ଯାଉଛନ୍ତି । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ଗଛରେ ଚଢ଼ି ଏକ କରତ ସାହାଯ୍ୟରେ ଡାଳ କାଟୁଛନ୍ତି । ସେ ସେହି ଡ଼ାଳକୁ କାଟୁଥିଲେ, ଯେଉଁଥିରେ ସେ ବସିଥିଲେ । ପରେ ଡ଼ାଳର କିଛି ଅଂଶ କାଟିବା ପରେ ସେ ସେହି ଡ଼ାଳ ଉପରେ ଛିଡ଼ା ହୋଇ ହଲାଉଛନ୍ତି । ଶେଷରେ ଡ଼ାଳ ଭାଙ୍ଗି ଯାଇଥିଲା ଏବଂ ସେ ସିଧା ତଳକୁ ଖସି ପଡ଼ୁଥିବା ଦେଖିବାକୁ ମିଳିଛି । ସେ ବୋଧହୁଏ ବୁଝି ପାରି ନ ଥିଲେ ଯେ ଡାଳି କାଟିବା ମାତ୍ରେ ଏହା ମଧ୍ୟ ଖସିଯିବ ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷାଧିକ ୟୁଜର୍ସ ଦେଖି ସାରିଲେଣି । ଏହାକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ବି ରଖିଛନ୍ତି । କେହି କେହି ଏହା ଯୁବକଙ୍କ ମୁର୍ଖାମୀ ବୋଲି କହିଥିବା ବେଳେ ଆଉ କିଛି କଳିଯୁଗର କାଳିଦାସ ବୋଲି କହିଛନ୍ତି ।