ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ । କେନ୍ଦ୍ର ସରକାର ଦିଲ୍ଲୀର ଜାଟ୍ ସମ୍ପ୍ରଦାୟକୁ ଧୋକ୍କା ଦେଇଥିବା ନେଇ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
କେଜ୍ରିୱାଲ ଚିଠିରେ ଲେଖିଛନ୍ତି ଯେ, କେନ୍ଦ୍ର ସରକାର ୧୦ ବର୍ଷ ଧରି ଓବିସି ସଂରକ୍ଷଣ ନାମରେ ଜାଟ୍ ସମ୍ପ୍ରଦାୟକୁ ଠକି ଆସିଛି। ୨୦୧୫ରେ ଜାଟ୍ ସମ୍ପ୍ରଦାୟର ନେତାମାନଙ୍କୁ ଘରକୁ ଡାକି ପ୍ରତିଶ୍ରୁତି ଦେଇଥିଲ ଯେ, ଦିଲ୍ଲୀର ଜାଟ୍ ସମ୍ପ୍ରଦାୟକୁ ଓବିସିରେ ସାମିଲ କରାଯିବ। ଅମିତ ଶାହ ଜାଟ୍ ସମ୍ପ୍ରଦାୟକୁ କେନ୍ଦ୍ରର ଓବିସି ତାଲିକାରେ ଆଣିବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ଯଦି ରାଜସ୍ଥାନର ଜାଟ୍ ସମ୍ପ୍ରଦାୟର ଛାତ୍ରମାନେ ଦିଲ୍ଲୀ ୟୁନିଭରସିଟିରେ ରିଜରଭେସନ ପାଉଛନ୍ତି ତେବେ ଦିଲ୍ଲୀର ଜାଟ୍ ସମ୍ପ୍ରଦାୟ କାହିଁକି ପାଇବ ନାହିଁ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି।
ସେ ଆହୁରି ଲେଖିଛନ୍ତି, ‘କେନ୍ଦ୍ରର ଓବିସି ତାଲିକାରେ ନ ଥିବାରୁ ଦିଲ୍ଲୀର ଜାଟ୍ ସମ୍ପ୍ରଦାୟର ହଜାର ହଜାର ପିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରିି କରିପାରୁନାହାନ୍ତି। କେନ୍ଦ୍ର ସରକାର ଜାଟ ସମ୍ପ୍ରଦାୟକୁ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନରେ ସୁବିଧା ପାଇବାକୁ ଦେଉନାହାନ୍ତି। ଏହି ସମ୍ପ୍ରଦାୟକୁ ରିଜରଭେସନ ମିଳୁନାହିଁ। ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହା ପାଳନ କରାଯାଇନାହିଁ।