ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇ

କାଳିଜାଇ ମନ୍ଦିର ଓଡ଼ିଶାର ଚିଲିକା ହ୍ରଦର ଏକ ଛୋଟ ଦ୍ୱୀପ ମଧ୍ୟରେ ଅବସ୍ଥିତ। ନୀଳ ଜଳର ଚାଦରରେ ଆବୃତ ହୋଇ ଥିବା ଏହି ପବିତ୍ର ସ୍ଥାନ ଓଡ଼ିଶା ପର୍ଯ୍ୟଟନର ଏକ ଐତିହାସିକ କିମ୍ବଦନ୍ତୀ ଭାବେ ଜଣାଶୁଣା। ପ୍ରାୟ ୨୯ ଏକର ପାହାଡରେ ପରିପୂର୍ଣ୍ଣ ଏ ଦ୍ୱୀପରେ ମା’ କାଳିଜାଇ ପୂଜା ପାଉଛନ୍ତି । କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି । ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକରମେଳା ଅନୁଷ୍ଠିତ ହୁଏ । ଜାନୁଆରୀ ମାସରେ ପଡୁଥିବା ମକରମେଳା ଏଠାକାର ଏକମାତ୍ର ଲୋକପ୍ରିୟ ପର୍ବ । ଏହି ପର୍ବରେ ଆଖପାଖ ଅଞ୍ଛଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ ।

ଚିଲିକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ କାଳିଜାଇ ।କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୪୦୦ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର ଜାଇ ନାମକ ଏକ ଝିଅର ବାହାଘର, ହ୍ରଦ ମଧ୍ୟରେ ଥିବା ଏକ ଦ୍ୱୀପ ପାରିକୁଦ ଠାରେ ସ୍ଥିର ହୋଇଥିଲା । ବାହାଘର ପରେ ଜାଈ ନିଜ ବାପାଙ୍କ ସହିତ ଚିଲିକାର ନୀଳ ଜଳରାଶିରେ ଏକ ଡଙ୍ଗାରେ ବସି ଶାଶୁ ଘର ଯାଉଥିଲା । ସମୟ ପ୍ରାୟ ସନ୍ଧ୍ୟା ହେଇ ଆସୁଥାଏ । ପାଣିପାଗ ବି ଭଲ ଥାଏ । ହେଲେ କୁଆଡେ ଥିଲା କେଜାଣି ସେହି ସମୟରେ ଭାଲେରି ପାହାଡ଼ ଆଡୁ କଳା ହାଣ୍ଡିଆ ମେଘ ଘୋଡାଇ ହୋଇ ଆସିଲା ଆଉ ନିମିଷକ ମଧ୍ୟରେ ଭୟଙ୍କର ଝଡ଼ ତୋଫାନ ହେବାକୁ ଲାଗିଲା । ଏହି ଭୟଙ୍କର ଝଡ଼ର ସାମ୍ନା ଜାଇ ଓ ତା ବାପାଙ୍କୁ କରିବାକୁ ପଡିଥିଲା । ଝଡ଼ର ପ୍ରଭାବ ଏତେ ତୀବ୍ର ଥିଲା ଯେ ଡ଼ଙ୍ଗାଟି ହ୍ରଦ ମଧ୍ୟରେ ଥିବା ଏକ ଗଣ୍ଡରେ ପିଟି ହୋଇ ଓଲଟି ପଡିଥିଲା ।

ଏହି ଦୁର୍ଘଟଣାରେ ଡ଼ଙ୍ଗାର ନାଉରୀ ଓ ଜାଇର ବାପା କୌଣସି ମତେ ବଞ୍ଚିଗଲେ ସତ, ହେଲେ ଜାଇ କୁଆଡେ ଚିଲିକା ଗଭୀର ଜଳ ରାଶିରେ ବୁଡି ଯାଇଥିଲା । ମାତ୍ର ବହୁ ଖୋଜାଖୋଜି ପରେ ମଧ୍ୟ ଜାଇ ମିଳିପାରିନଥିଲା । ଜାଇ ଘରୁ ଗୋଡ଼ କାଢ଼ିଥିଲା ସତ, କିନ୍ତୁ ଶାଶୂଘରେ ପହଁଚିନଥିଲା କି ସଂସାରର ମୋହମାୟାରେ ଜଡିତ ହୋଇପାରିନଥିଲା । ଶାଶୁ ଘରେ ବୋହୂ ହେବା ପରିବର୍ତ୍ତେ ସାରା ସଂସାରର ମା’ ହେଇଗଲା ଜାଇ ।

ଏମିତି କେତେ ଦିନ ଗଲା ପରେ ସେହି ରାସ୍ତା ଦେଇ ନାଉରୀ ମାନେ ଗଲା ବେଳେ ସେହି ଗଣ୍ଡ ମଧ୍ୟରୁ କାହାର ଚିତ୍କାର ସହିତ କାନ୍ଦିବାର ଶବ୍ଦ ଶୁଣିବାକୁ ମିଳିଥିଲା । ପରେ ସେ ସମୟର ପାରିକୁଦ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଥିଲା କି, ମୁଁ ସେହି ଜାଇ ଯାହାକୁ କାଳିଜାଇ ଭାବରେ ମନ୍ଦିର ନିର୍ମାଣ କରି ପୂଜା କରିବାପାଇଁ ନିର୍ଦ୍ଦେଶ ହୋଇଥିଲା । ପରେ ରାଜା ସେହି ଛୋଟ ପାହାଡ଼ ଉପରେ କାଳିଜାଇ ମନ୍ଦିର ନିର୍ମାଣ କରିଥିଲେ । ସେହିଦିନ ଠାରୁ ସେହି ପାହାଡ଼ ଉପରେ ମା’ କାଳିଜାଇ ପୂଜା ହୋଇ ଆସୁଛନ୍ତି । ଅନେକ ସ୍ଥାନୀୟ ଲୋକ, ଧୀବର ଓ ନାଉରୀଙ୍କ ମୁହଁରୁ ଆଜି ବି ଶୁଣିବାକୁ ମିଳେ ଯେ ବିପଦରୁ ଉଦ୍ଧାର କରିବାକୁ ମାଆ ନିଜେ ଆବିର୍ଭାବ ହୋଇ, ଲୋକମାନଙ୍କୁ ରକ୍ଷା କରିଥାନ୍ତି । ଚିଲିକା ଜଳରାଶିରେ ଜଳାଯାତ୍ରା କରିବା ପୂର୍ବରୁ ମା’ କାଳିଜାଇଙ୍କୁ ମୁଣ୍ଡିଆଟେ ମାରି ଯାତ୍ରା ଆରମ୍ଭ କରିଥାନ୍ତି ମତ୍ସ୍ୟଜୀବୀ । ପାରିକୁଦ ଅଞ୍ଚଳରେ ବିବାହ କାର୍ଯ୍ୟ ପାଇଁ ଡ଼ଙ୍ଗାରେ ଗଲାବେଳେ ପ୍ରଥମେ ମା’ଙ୍କୁ ନଡ଼ିଆ ବାଡେଇ ଚିଲିକା ଜଳରାଶିରେ ମୁଆଁ ଭସାଇ ଯାଇଥାନ୍ତି । ଆଉ ଜଳ ଭାଗରେ ବିପଦ ସମୟରେ ମା’ ହିଁ ସାହା ଭରସା ହୋଇଥାନ୍ତି ।

ଐତିହାସିକ ତଥ୍ୟ ଅନୁସାରେ ମା’ କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ସେ ସମୟର ପାରିକୁଦ ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ୱାରା ନିର୍ମାଣ କରାଯାଇଥଲା । ଏହା ପରଠୁ ମା’ ସେହି ପାହାଡ଼ର ଟାପୁ ଉପରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇଆସୁଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *