ଦେଶ ବିଦେଶରେ ଏମିତି ଅନେକ ମନ୍ଦିର ରହିଛି, ଯାହା କେବଳ ଭଗବାନ ଶିବଙ୍କୁ ସମର୍ପିତ। କର୍ଣ୍ଣାଟକରେ ଥିବା ଏହି ଶିବ ମନ୍ଦିରରେ ଗୋଟିଏ କିମ୍ବା ଦୁଇଟି ନୁହେଁ ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି। ଏହି ମନ୍ଦିରର ୪ କୋଣରେ ଆପଣଙ୍କୁ ମହାଦେବଙ୍କ ଅବସ୍ଥିତି ଅନୁଭବ ହେବ।
କର୍ଣ୍ଣାଟକର କୋଲାରରେ ଥିବା କୋଟିଲିଙ୍ଗେଶ୍ୱର ମନ୍ଦିରରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପନା କରାଯାଇଛି। ଏହି ମନ୍ଦିରର ସ୍ଥାପନା ଏକ ଅଭିଶାପ କାରଣରୁ ହୋଇଥିଲା ବୋଲି କୁହାଯାଉଛି। କିମ୍ବଦନ୍ତୀ ଅନୁସାରେ ଭଗବାନ ଇନ୍ଦ୍ରଙ୍କୁ ଗୌତମ ନାମକ ଜଣେ ଜ୍ଞାନୀ ଋଷି ଅଭିଶାପ ଦେଇଥିଲେ। ଇନ୍ଦ୍ର ଦେବ ଏହି ଅଭିଶାପରୁ ମୁକ୍ତି ପାଇବା ଲାଗି କୋଟିଲିଙ୍ଗେଶ୍ୱର ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରିଥିଲେ। କେବଳ ସେତିକି ନୁହେଁ ଅଭିଶାପରୁ ମୁକ୍ତି ପାଇବା ଲାଗି ଇନ୍ଦ୍ର ଦେବ ଏଠାରେ ସ୍ଥାପିତ ହୋଇଥିବା ଶିବଲିଙ୍ଗର ଅଭିଷେକ ୧୦ ଲକ୍ଷ ନଦୀର ପାଣିରେ କରିଥିଲେ।
ଏହି ମନ୍ଦିରରେ ସ୍ଥିତ ଶିବଲିଙ୍ଗର ଉଚ୍ଚତା ୧୦୮ ଫୁଟ୍। ଏଥିପାଇଁ ଏହାକୁ ସବୁଠୁ ଉଚ୍ଚ ଶିବଲିଙ୍ଗ ଭାବେ ଗ୍ରହଣ କରାଯାଏ। ମନ୍ଦିରର ଚତୁଃପାର୍ଶ୍ବରେ ପାଖାପାଖି ୧ କୋଟି ଶିବଲିଙ୍ଗ ସ୍ଥାପିତ କରାଯାଇଛି। ଏଥିସହିତ ଦେବୀ ମା’, ଶ୍ରୀ ଗଣେଶ ଏବଂ ଶ୍ରୀ କୁମାରସ୍ବାମୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଛୋଟ ଛୋଟ ଶିବଲିଙ୍ଗ ମଝିରେ ନନ୍ଦୀ ଭଗବାନଙ୍କ ମୂର୍ତ୍ତି ରହିଛି। ଏହି ମନ୍ଦିରର କେବଳ ଶିବଲିଙ୍ଗ ସବୁଠୁ ବଡ଼ ନୁହେଁ, ନନ୍ଦୀଙ୍କ ମୂର୍ତ୍ତି ମଧ୍ୟ ସବୁଠୁ ବଡ଼ ବୋଲି କୁହାଯାଉଛି। ଏଠାରେ ସ୍ଥାପନା ହୋଇଥିବା ନନ୍ଦୀ ଭଗବାନଙ୍କ ଏହି ମୂର୍ତ୍ତି ୩୫ ଫୁଟ୍ ଉଚ୍ଚ, ୬୦ ଫୁଟ୍ ଲମ୍ବ, ୪୦ ଫୁଟ୍ ଚଉଡ଼ାରେ ତିଆରି କରାଯାଇଛି। ଏହା ୪ ଫୁଟ୍ ଉଚ୍ଚ ଏବଂ ୪୦ ଫୁଟ୍ ଚଉଡ଼ାର ଚଉତରା ଉପରେ ସ୍ଥାପନ କରାଯାଇଛି।
ଏହି ମନ୍ଦିରରେ ଦିନକୁ ଦିନ ଶିବଲିଙ୍ଗ ସଂଖ୍ୟା ବଢ଼ିବାରେ ଲାଗିଛି। ଲୋକେ ନିଜ ମାନସିକ ପୂରଣ ହେଲା ପରେ ଏଠାରେ ଶିବଲିଙ୍ଗ ସ୍ଥାପନା କରିବାରେ ଲାଗିଛନ୍ତି। ଏହାର କାରଣ ହେଉଛି ଯେ ଏଠାକୁ ଆସୁଥିବା ଭକ୍ତମାନେ ସେମାନଙ୍କର କୌଣସି ଇଚ୍ଛା ମାଗନ୍ତି ଏବଂ ଯେତେବେଳେ ସେମାନଙ୍କର ବିଶ୍ୱାସ କିମ୍ବା ଇଚ୍ଛା ପୂରଣ ହୁଏ, ସେତେବେଳେ ସେମାନେ ନିଜ ନାମରେ ୧ ଫୁଟରୁ ୩ ଫୁଟ ପର୍ଯ୍ୟନ୍ତ କ୍ଷମତା ଅନୁଯାୟୀ ଏହି ମନ୍ଦିରରେ ଶିବଲିଙ୍ଗ ପ୍ରତିଷ୍ଠା କରନ୍ତି।
କୋଟିଲିଙ୍ଗଶ୍ୱର ଧାମ ମନ୍ଦିର ପରିସରେ ଥିବା ଦୁଇଟି ବୃକ୍ଷରେ ହଳଦିଆ ସୂତା ବାନ୍ଧିବା ଦ୍ୱାରା ପ୍ରତ୍ୟେକ ଇଚ୍ଛା ପୂରଣ ହୁଏ ବୋଲି ଏଠାକୁ ଆସିଥିବା ଭକ୍ତ ମାନେ କୁହନ୍ତି । ବିଶେଷ କରି ବିବାହ କ୍ଷେତ୍ରରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଯାଏ। ମହାଶିବରାତ୍ରୀ ଅବସରରେ ଲକ୍ଷ ଲକ୍ଷ ଭକ୍ତ କେବଳ ଦେଶରୁ ନୁହେଁ ସମଗ୍ର ବିଶ୍ୱରୁ ଏହି ମନ୍ଦିରକୁ ଆସି ଭଗବାନ ଶିବଙ୍କୁ ପ୍ରାର୍ଥନା କରନ୍ତି।