ନୂଆଦିଲ୍ଲୀ : ଆସନ୍ତା ମହାକୁମ୍ଭ ମେଳାରେ ତପ କରିବେ ଆପ୍ପଲର ସହ-ସଂସ୍ଥାପକ ଦିବଙ୍ଗତ ଷ୍ଟିଭ୍ ଜବ୍ସଙ୍କର ପତ୍ନୀ ଲରେନ ପାୱେଲ ଜବ୍ସ । ସେ ସ୍ୱାଧୀ ହେବା ସହ ଦୁଇ ସପ୍ତାହ ଧରି ତପ କରିବେ । ସେ କଳ୍ପବାସରେ ସମୟ ବିତାଇବେ। କଳ୍ପବାସ ଖୁବ୍ ପୁରୁଣା ହିନ୍ଦୁ ପରମ୍ପରା, ଯାହାର ମହାକୁମ୍ଭ ଭଳି ମହାମେଳାରେ ମହତ୍ତ୍ୱ ଅଧିକ ହୋଇଯାଏ।
ଆସନ୍ତା ୧୩ ତାରିଖରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା । ପ୍ରତି ୧୨ବର୍ଷରେ ଅନୁଷ୍ଠିତ ହେବାକୁ ଥିବା ହିନ୍ଦୁଙ୍କ ଏହି ପବିତ୍ର ମେଳାରେ ଷ୍ଟିଭ୍ ଜବ୍ସଙ୍କର ପତ୍ନୀ ଲରେନ ପାୱେଲ ଜବ୍ସ ସାମିଲ ହେବେ । ପାୱେଲ ନିରଞ୍ଜନୀ ଅଖାଡେଙ୍କ ମହାମଣ୍ଡଳେଶ୍ୱର ସ୍ୱାମୀ କୈଳାସାନନ୍ଦଙ୍କ ଶିବିରରେ ରହିବେ। ସେ ବିଭିନ୍ନ ଅନୁଷ୍ଠାନରେ ଭାଗ ନେବା ଓ ସଙ୍ଗମରେ ପବିତ୍ର ବୁଡ଼ ଦେବାର ସମ୍ଭାବନା ରହିଛି । ସେ ଏହି ମେଳାରେ ସ୍ୱାଧୀ ହେବା ସହ ତପ କରିବେ । ତାଙ୍କର ପ୍ରବାସ ୨୯ ଜାନୁଆରୀ ଯାଏ ଚାଲିବ।
କଳ୍ପବାସ କରିବା ସହଜ ନୁହେଁ। କଳ୍ପବାସ ବେଳେ କିଛି ନିୟମର ପାଳନ କରିବା ଜରୁରୀ । ପ୍ରତିଦିନ ୩ଥର ପବିତ୍ର ନଦୀରେ ସ୍ନାନ କରିବା, ପୂର୍ବପୁରୁଷଙ୍କୁ ପିଣ୍ଡଦାନ , ଦାନ କରିବା, ଜପ , ସଂକଳ୍ପିତ କ୍ଷେତ୍ରରୁ ବାହାରକୁ ନଆସିବା , କାହାକୁ ବି ନିନ୍ଦା ନକରିବା, ସାଧୁଙ୍କ ସେବା କରିବା, ଗୋଟେ ସମୟରେ ଭୋଜନ , ଭୂଇଁ ଉପରେ ଶୋଇବା, ଅଗ୍ନି ସେବନ ଓ ଶେଷରେ ଦେବ ପୂଜନ ସାମିଲ ଅଛି।
ଏହି ମେଳାରେ ସାରାବିଶ୍ୱରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ସନ୍ଥ ଓ ସାଧକ ଆସିଥାନ୍ତି। କୁହାଯାଏ କି, ସଙ୍ଗମର ପାଣିରେ ବୁଡ଼ ଲଗାଇବା ଦ୍ୱାରା ସବୁ ପାପ ନାଶ ହୋଇଥାଏ। ଆଧ୍ୟାତ୍ମିକ ଆଶୀର୍ବାଦ ମିଳିଥାଏ। ଚଳିତ ବର୍ଷ ମହାକୁମ୍ଭରେ ଲକ୍ଷଲକ୍ଷ ଭକ୍ତ ପହଞ୍ଚିବାର ଆଶା ରହିଛି।