ନୂଆଦିଲ୍ଲୀ: ମହିଳାଙ୍କୁ ସୁରକ୍ଷା ଦେବ ‘ଲିପଷ୍ଟିକ୍ ଗନ୍’ । ମହିଳାଙ୍କ ପାଇଁ ‘ଲିପଷ୍ଟିକ୍ ଗନ୍’ ସାଜିବ ଅସ୍ତ୍ର । ଏହାକୁ ତିଆରି କରିଛନ୍ତି ୟୁପିର ଦୁଇ ଛାତ୍ରୀ । ଏହି ଛାତ୍ରୀଙ୍କ କୃତୀ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ରୀଙ୍କ ଏପରି ଉଦ୍ୟମକୁ ଢେର ପ୍ରଶଂସା ବି ମିଳିଛି ।
ମହିଳା ବିରୋଧୀ ହିଂସାକୁ ରୋକିବା ତଥା ସେମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଉତ୍ତରପ୍ରଦେଶର ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରୀ ଏକ ଅଭିନବ କାର୍ଯ୍ୟ କରିଛନ୍ତି । ସେମାନେ ଏକ ‘ଲିପଷ୍ଟିକ୍ ଗନ୍’ ତିଆରି କରିଛନ୍ତି । ତାହା ଦେଖିବାକୁ ସାଧାରଣ ଲିପଷ୍ଟିକ୍ ଭଳି ହୋଇଥିବାବେଳେ ସେଥିରେ ଏକ ୫ ମିମିର ବ୍ୟାରେଲ୍ ରହିଛି । ସେଥିମଧ୍ୟରେ ନାଲି ଲଙ୍କା ଗୁଣ୍ଡ ବୁଲେଟ୍ ଭଳି ଭର୍ତ୍ତି ହୋଇଛି। କୌଣସି ଅସୁବିଧାଜନକ ପରିସ୍ଥିତିରେ ପୀଡ଼ିତା ଯଦି ଏହି ‘ଲିପଷ୍ଟିକ୍ ଗନ୍’ର ବଟନ୍କୁ ଦବାନ୍ତି ତେବେ ସେଥିରୁ ଲଙ୍କା ଗୁଣ୍ଡ ବୁଲେଟ୍ ବାହାରି ଆତତାୟୀଙ୍କ ଆଖିରେ ଜ୍ୱଳନ ସୃଷ୍ଟି କରିବ । ସେଥିଯୋଗୁ ସାମୟିକ ଭାବେ ସେ କିଛି ଦେଖିପାରିବେ ନାହିଁ । ଏହି ସୁଯୋଗରେ ମହିଳା ଖସି ପଳାଇବାକୁ ସମୟ ପାଇଯିବେ ।
ସେହିପରି ଗନ୍ରୁ ଫାୟାରିଂ ହେବା ପରେ ତୀବ୍ର ଶବ୍ଦ ଶୁଣି ଆଖପାଖର ଲୋକେ ସତର୍କ ହୋଇଯିବେ ଓ ତାଙ୍କୁ ସହାୟତା ଲାଗି ଆଗେଇ ଆସିବେ । ଆବଶ୍ୟକ ସ୍ଥଳେ ସେହି ଗନ୍ରୁ ପୋଲିସ ଓ ପରିବାର ଲୋକଙ୍କୁ ଜରୁରିକାଳୀନ ଫୋନ୍ ସହିତ ଲୋକେସନ୍ ମଧ୍ୟ ପଠାଇବାର ବ୍ୟବସ୍ଥା ରହିଛି । ଏହାର ଦାମ୍ ରହିଛି ୨୦୦୦ ଟଙ୍କା । ‘ଲିପଷ୍ଟିକ୍ ଗନ୍’ ତିଆରି କରିଥିବା ଇସ୍ରତ୍ ଖାନ୍ ଓ ଶ୍ରୀଷ୍ଟି ଶ୍ରୀବାସ୍ତବ ଗୋରଖପୁର ଆଇଟିଏମ୍ ଇଞ୍ଜିନିୟରିଂ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ ।
ସେମାନେ କହିଛନ୍ତି, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଘଟଣାକୁ ଦେଖି ସେମାନେ ଏହି ସୁରକ୍ଷା ଉପକରଣ ପ୍ରସ୍ତୁତ କରିଛନ୍ତି । ଅସୁବିଧା ସମୟରେ ଏହା ଆତ୍ମରକ୍ଷା ଲାଗି ମହିଳାମାନଙ୍କର ଅମୋଘ ଅସ୍ତ୍ର ପାଲଟିବ । ‘ଲିପଷ୍ଟିକ୍ ଗନ୍’କୁ ସ୍ୱତନ୍ତ୍ର କାର୍ବନ ଫାଇବରରେ ପ୍ରସ୍ତୁତ କରାଯାଇଛି । ଏହାର ଓଜନ ମାତ୍ର ୫୦ ଗ୍ରାମ । ଏହାକୁ ବନାଇବା ଲାଗି ଭଏସ୍ ମୋଡ୍ୟୁଲ, ୩ ଭୋଲ୍ଟର ବ୍ୟାଟେରୀ, ମେଟାଲ ପାଇପ୍, ବଟନ, ମାଇକ୍ରୋଫୋନ୍ ଆଦିର ବ୍ୟବହାର କରାଯାଇଛି। ଆଇଟିଏମ୍ ଇଞ୍ଜିନିୟରିଂ କଲେଜର ଡିନ୍ ଛାତ୍ରୀଦ୍ୱୟଙ୍କର ଏହି ଉଦ୍ଭାବନକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହି ଅଭିନବ ପ୍ରକଳ୍ପ ମହିଳାମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ଲାଗି ଏକ ବଡ଼ ପଦକ୍ଷେପ ପାଲଟିବ । ଅନ୍ୟପଟେ ଛାତ୍ରଛାତ୍ରୀମାନଙ୍କୁ ଟାବଲେଟ୍ ଓ ସ୍ମାର୍ଟଫୋନ୍ ବଣ୍ଟନ ପରି ‘ଲିପଷ୍ଟିକ୍ ଗନ୍’ ବି ବଣ୍ଟନ କରାଯିବା ଆବଶ୍ୟକ ବୋଲି ଇସ୍ରତ ଓ ଶ୍ରୀଷ୍ଟି ଦାବି କରିଛନ୍ତି ।