ବାରଣାସୀ: ମନ୍ଦିର ଗର୍ଭଗୃହରେ କ୍ୟାଣ୍ଡେଲ ଜାଳିଲେ । କେକ୍ କାଟିଲେ ଯୁବତୀ । ଧୂମ୍ଧାମ୍ରେ ପାଳନ ବି କଲେ ଜନ୍ମଦିନ । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଚିନ୍ତିତ ହୋଇପଡ଼ନ୍ତି । ଏହାକୁ ନେଇ ଏବେ ଧାର୍ମିକ ମହଲରେ ଚର୍ଚ୍ଚା ହେବା ସହ ଅସନ୍ତୋଷ ଦେଖାଦେଇଛି । ଏପରି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ବାରଣାସୀରେ ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀ ଉତ୍ତର ପ୍ରଦେଶ ବାରଣାସୀରେ ଥିବା କାଳଭୈରବ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ଭୋଳାଶଙ୍କରଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ମନ୍ଦିର ପୂଜକ ତାଙ୍କୁ ଏକ ମାଳ ପିନ୍ଧାଇବା ପରେ ସେ ଠାକୁରଙ୍କୁ ପ୍ରଣାମ କରୁଛନ୍ତି । ପରେ ଗର୍ଭଗୃହରେ ଠାକୁରଙ୍କ ସାମ୍ନାରେ ଏକ କେକ୍ ରଖାଯାଇଥିଲା । ଠାକୁରଙ୍କୁ ମୁଣ୍ଡିଆ ମାରିବା ପରେ ଯୁବତୀ ଜଣକ ସେହି କେକ୍ କାଟିଥିଲେ । ପ୍ରଥମେ କିଛି ଅଂଶ କାଟି ଠାକୁରଙ୍କୁ ଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭାଇରାଲ ଭିଡିଓକୁ ନେଇ ଏବେ ଧାର୍ମିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗର୍ଭଗୃହରେ କେକ୍ କଟାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯୁବତୀଙ୍କ ଏପରି ହରକତକୁ ଘୋର ମାତ୍ରାରେ ନିନ୍ଦା ମଧ୍ୟ କରାଯାଉଛି । ଭିଡିଓରେ ଦେଖାଯାଉଥିବା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ । କିନ୍ତୁ ସେ ଜଣେ ମଡେଲ ବୋଲି କୁହାଯାଉଛି ।