ପ୍ରୟାଗରାଜ: ଆଜି ସରିବ ମହାକୁମ୍ଭ ମେଳା। ଶେଷ ଅମୃତ ସ୍ନାନ କରିବା ପାଇଁ ତ୍ରିବେଣୀ ସଂଙ୍ଗମ ଘାଟରେ ଲାଗିଛି ଗହଳି। ସକାଳ ୫ଟାରୁ ୪୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି। ତ୍ରିବେଣୀ ସଙ୍ଗମରେ ୩ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ଆଶଙ୍କା। ୪୫ ଦିନରେ ସ୍ନାନ କରିଛନ୍ତି ୬୫ କୋଟିରୁ ଅଧିକ ଶ୍ରଦ୍ଧାଳୁ। ଜାନୁଆରୀ ୧୩ରୁ ଦୀର୍ଘ ୪୫ ଦିନ ହେଲା ଚାଲିଥିଲା କୁମ୍ଭମେଳା।
ପଞ୍ଚାଙ୍ଗ ଅନୁସାରେ, ଫାଲଗୁନ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ସକାଳ ୧୧:୦୮ ରୁ ଆରମ୍ଭ ହେବ ଏବଂ ଏହି ତିଥି ପରଦିନ ଫେବୃଆରୀ ୨୭ ତାରିଖ ସକାଳ ୮:୫୪ ରେ ଶେଷ ହେବ। ରାତିରେ ମହାଶିବରାତ୍ରିର ପୂଜା କରିବାର ମହତ୍ତ୍ୱ ଅଛି, ସେଥିପାଇଁ ଆଜି ୨୬ ଫେବୃଆରୀରେ ମହାଶିବରାତ୍ରିର ଉପବାସ ପାଳନ କରାଯାଉଛି। ମହାଶିବରାତ୍ରିରେ ପୁଣ୍ୟ କାଳ କିମ୍ବା ଅମୃତ କାଳ ଆସନ୍ତାକାଲି ସକାଳ ୯ଟା ପର୍ଯ୍ୟନ୍ତ ଚାଲିବ। ମହାକୁମ୍ଭରେ ମହା ଶିବରାତ୍ରିର ରାଜକୀୟ ସ୍ନାନ ସକାଳ ୭:୨୮ ରେ ଆରମ୍ଭ ହୋଇଛି।
ଆସ୍ଥା, ବିଶ୍ୱାସ, ଶ୍ରଦ୍ଧା ସହିତ ମହାକୁମ୍ଭ ମେଳାରେ ସରକାରଙ୍କ ଶ୍ରେଷ୍ଠ ପରିଚାଳନା ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଧାର୍ମିକ ମହୋତ୍ସବର ସାକ୍ଷୀ ହେବାକୁ ପ୍ରାୟ ୨୫ରୁ ଅଧିକ ଦେଶର ଶ୍ରଦ୍ଧାଳୁ ଆସି ସଙ୍ଗମରେ ବୁଡ ପକାଇଛନ୍ତି ବୋଲି ସୂଚନା ମିଳିଛି ।ତେବେ ଦଳାଚକଟା ଭଳି ଘଟଣାକୁ ଏଡାଇବା ପାଇଁ ନିକଟତମ ଘାଟରେ ସ୍ନାନ କରି ଫେରିଯିବାକୁ ଆହ୍ୱାନ କରାଯାଇଛି । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଥିବା କୁମ୍ଭମେଳା ଆଜି ଶେଷ ହେବ । ଅନେକ ବିଦେଶୀ ମଧ୍ୟ ଆସି ସ୍ନାନ କରିଥିବା ଜଣାପଡିଛି ।