ମହାରାଷ୍ଟ: ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ପୋଲିସ ଏଆଇଏମ୍ଆଇଏମ୍ ଜାତୀୟ ସଭାପତି ସାଂସଦ ଅସଦୁଦ୍ଦିନ ଓଓ୍ୱେସିଙ୍କୁ ନୋଟିସ ଦେଇଛି। ବିଶେଷ କଥା ହେଉଛି ଏହି ବିଜ୍ଞପ୍ତି ଏକ ସାର୍ବଜନୀନ ପ୍ଲାଟଫର୍ମରେ ଦିଆଯାଇଛି। ଓଓ୍ୱେସି ସୋଲାପୁର କେନ୍ଦ୍ରୀୟ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଫାରୁକ୍ ଶାବଡିଙ୍କ ପ୍ରଚାର ରାଲିରେ ଆସି ମଞ୍ଚରେ ଥିଲେ। ଏହି ସମୟରେ ପୋଲିସ ଓଓ୍ୱେସିଙ୍କୁ ନୋଟିସ ଦେଇଥିଲା। ପୋଲିସର ବିଜ୍ଞପ୍ତିରେ ଓଓ୍ୱେସିଙ୍କୁ ତାଙ୍କ ଭାଷଣରେ କୌଣସି ବି ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇବା କିମ୍ବା ହେଟ୍ସ୍ପିଚ୍ ନ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଭାରତୀୟ ସିଭିଲ କୋଡର ଧାରା ୧୬୮ ଅନୁଯାୟୀ ପୋଲିସ ଏକ ବିଜ୍ଞପ୍ତି ଜାରି କରିଛି।
ସୂଚନା ଅନୁସାରେ ଅସଦୁଦ୍ଦିନ ଓୱେସି ମଞ୍ଚ ଉପରେ ନୋଟିସ ପାଇଥିଲେ। ନୋଟିସ ମିଳିବା ପରେ କହିଥିଲେ କି ବୁଝି ପାରୁନି ଆଚରଣ ସଂହିତା ସମୟରେ ପୋଲିସ କିପରି ନୋଟିସ ପଠାଇ ପାରିବ। ଆଚରଣ ସଂହିତା ଲାଗୁ ହେବା ପରେ ରିଟର୍ନିଂ ଅଫିସର ପୋଲିସକୁ ନିୟନ୍ତ୍ରଣ କରନ୍ତି, ଏପରି ପରିସ୍ଥିତିରେ ରିଟର୍ନ ଅଫିସରଙ୍କ ବିନା ଅନୁମତିରେ ପୋଲିସ କିପରି ନୋଟିସ ପଠାଇପାରିବ। କିନ୍ତୁ ମୋର କୌଣସି ଅସୁବିଧା ନାହିଁ।
ଏହାପୂର୍ବରୁ ଅସଦୁଦ୍ଦିନ ଓଓ୍ୱେସି ଛତ୍ରପତି ସାମ୍ବାଜୀନଗରରେ ପହଞ୍ଚିଥିଲେ, ଯେଉଁଠାରୁ ସେ ଔରଙ୍ଗାବାଦର ନାମ ବଦଳାଇବା ପାଇଁ ମହାୟୁତୀ ଏବଂ ମହାବିକାଶ ଅଘାଡିଙ୍କୁ ଟାର୍ଗେଟ କରିଥିଲେ। ସେହିପରି ମୁମ୍ବାଇର ଭାୟଖଲାରେ ମଧ୍ୟ ପ୍ରଚାର ବେଳେ ଓଓ୍ୱେସି ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଦେବେନ୍ଦ୍ର ଫଡନାଭିସଙ୍କୁ ଟାର୍ଗେଟ୍ କରିଥିଲେ। ସେ କହିଥିଲେ ଏମାନେ ମୋର ମୁକାବିଲା କରିପାରିବେ ନାହିଁ।
ଆସନ୍ତା ୨୦ ତାରିଖରେ ପଡ଼ିବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ। ୨୩ରେ ଆସିବ ଫଳାଫଳ। ଏହି ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଏହି ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହାରି ଭିତରେ AIMIM ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସି ମହାରାଷ୍ଟ୍ରର ସୋଲାପୁରରେ ପହଞ୍ଚିଥିଲେ। ସେଠାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ମଞ୍ଚ ଉପରେ ତାଙ୍କୁ ପୁଲିସ ନୋଟିସ୍ ଧରାଇଛି।