ଆଜି ମହାଶିବରାତ୍ରି

ଆଜି ମହାଶିବରାତ୍ରି। ପ୍ରତି ଶୈବପୀଠରେ ମହାଦେବଙ୍କ ପୂଜାର୍ଚ୍ଚନା କରିବା ପାଇଁ ଭକ୍ତଙ୍କ ଗହଳି ଲାଗିଛି। ବ୍ରତାଚାରୀମାନେ ଆଜି ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ଉଜାଗର ରହନ୍ତି । ସେହି ରାତ୍ରିର ଚାରିପ୍ରହରରେ ଦୀପ ଜାଳିବା ସହିତ ଶିବଙ୍କର ପୂଜା ସହିତ ନାମ ଜପ କରାଯିବାର ବିଧି ରହିଛି । ଗୁରୁଦତ୍ତ ନାମ ଜପର ବିଧି ରହିଛି ଯିଏ ଗୁରୁ କରିନଥିବ ସେ ଶିବଙ୍କର ଅଷ୍ଟନାମ ଯଥା- ଭବ, ଶର୍ବ, ରୁଦ୍ର, ପଶୁପତି, ଉଗ୍ର, ମହାନ ଭୀମ, ଈଶାନ ମଧ୍ୟରୁ ଯେକୌଣସି ନାମ କିମ୍ବା ‘ ଓଁ ନମଃ ଶିବାୟ’ ପଞ୍ଚାକ୍ଷର ମନ୍ତ୍ର ଜପ କରିପାରିବ

ଶିବରାତ୍ରିକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଏ । ପ୍ରତ୍ୟେକ ପ୍ରହରର ସମୟ ତିନି ଘଟିକା । ପ୍ରଥମ ପ୍ରହର ବା ସନ୍ଧ୍ୟା ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ ଅଭିଷେକ କରାଯାଏ । ଦ୍ୱିତୀୟ ପ୍ରହର ବା ସନ୍ଧ୍ୟାର ପରବର୍ତ୍ତୀ ସମୟରେ ଲିଙ୍ଗକୁ ଦହିରେ ଅଭିଷେକ କରାଯାଏ । ତୃତୀୟ ପ୍ରହର ବା ଘୋର ରାତ୍ର ସମୟରେ ଶିବଲିଙ୍ଗକୁ ମହୁରେ ଅଭିଷେକ କରାଯାଏ । ରାତ୍ରର ଶେଷ ପ୍ରହର ସମୟରେ ଶିବ ମନ୍ଦିରରୁ ମହାଦୀପ ଉଠାଯାଏ ।

ସାରା ସଂସାରରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂରକରି ଆଲୋକ ପ୍ରଦାନ କରିବା ହେଉଛି ମହାଦୀପ ଉଠାଣର ଉଦ୍ଦେଶ୍ୟ । ରାତ୍ରର ପ୍ରତ୍ୟେକ ପ୍ରହରରେ ଶିବଲିଙ୍ଗକୁ ପୁଷ୍ପ, ପତ୍ର ଓ ଫଳ ଆଦି ପ୍ରଦାନ କରାଯାଇ ଉପାସନା କରାଯାଏ । ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।

ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିଷ୍କାର କରିବାପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ପର୍ବ ଶିକ୍ଷା ଦିଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରନ୍ତି।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନ ଶିବ ପାର୍ବତୀଙ୍କ ବିବାହ ହୋଇଥିଲା, ତେଣୁ ଏହି ଦିନକୁ ଶିବ ପାର୍ବତୀଙ୍କ ବିବାହ ବାର୍ଷିକୀ ଭାବେ ପାଳନ କରାଯାଉଛି । ତେଣୁ ମହାଶିବରାତ୍ରିକୁ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ । ଶିବରାତ୍ରିଟି ବିଶେଷ ଭାବରେ ଭଗବାନ ଶିବଙ୍କୁ ସମର୍ପିତ ।

ଅବିବାହିତ ଯୁବକ ଓ ଯୁବତୀ ମନର ମଣିଷକୁ ପାଇବା ପାଇଁ ଶିବଙ୍କ ଉପାସନା କରନ୍ତି । ଅଧିକାଂଶ ଯୁବକ ଯୁବତୀ ନିଜ ମନର ମଣିଷ ପାଇବାକୁ ଏହିଦିନ ବ୍ରତ କରନ୍ତି । ଉପାସ ରହି ପୂଜାର୍ଚ୍ଚନା କରି ଭୋଳାନାଥଙ୍କୁ ଆଶୀର୍ବାଦ ମାଗନ୍ତି ।

ସେହିପରି ଯଦି ଆପଣଙ୍କ ବିବାହିତ ଜୀବନରେ ଅସୁବିଧା ଦେଖାଦେଉଛି, ତେବେ ମହାଶିବରାତ୍ରି ଦିନ ସ୍ୱାମୀ-ସ୍ତ୍ରୀ ଏକାଠି ଓଷା କରିବା ଦ୍ୱାରା ଅସୁବିଧାରୁ ମୁକ୍ତି ମିଳିଥାଏ । ବୈବାହିକ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୁଏ ।

ମହାଶିବରାତ୍ରି ଦିନ ସକାଳୁ ଉଠି ସ୍ନାନ କାମ ସାରି ମନ୍ଦିର ଯାଇ ଫଳ, ପୁଷ୍ପ ଦେଇ ନିଷ୍ଠାର ସହ ପୂଜାର୍ଚ୍ଚନା କରିବା ଉଚିତ । ଏହି ଦିନ ଶିବଙ୍କୁ ଦୁଦୁରା ଫୁଲ, ବେଲପତ୍ର, ଗଙ୍ଗାଜଳ, ଚନ୍ଦନ, କଞ୍ଚା କ୍ଷୀର ଦେଇ ଅଭିଷେକ କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୋଇଥାନ୍ତି । ଏହି ଦିନ ଶିବଲିଙ୍ଗଙ୍କୁ ଏହି ସବୁ ଜିନିଷ ଅର୍ପଣ କରିବା ଦ୍ୱାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଶିବ ନାମ ଜପ, ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବା ବ୍ୟତୀତ ଶିବ ଚାଳିଶା ପାଠ କରିବା ଦ୍ୱାରା ଶିବଙ୍କଠାରୁ ବିଶେଷ କୃପା ଲାଭ ମିଳିଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *