ମାଲକାନଗିରିର ଝିଅ ହେଲେ ‘ମିସ୍ ଟିନ୍ ଇଣ୍ଡିଆ’

ମାଲକାନଗିରି : ରାଜସ୍ଥାନରେ ଚମକିଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରିର ଝିଅ ସୋନାକ୍ଷୀ ମହାପାତ୍ର । ସେ ‘ମିସ୍ ଟିନ୍ ଇଣ୍ଡିଆ’ ଉପାଧି ହାସଲ କରି ଜିଲ୍ଲା ଓ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଏବେ ତାଙ୍କ ନିକଟକୁ ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛାର ସୁଅ।

ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର ପ୍ରଦୀପ ମହାପାତ୍ରଙ୍କ ଝିଅ ସୋନାକ୍ଷୀ ମହାପାତ୍ର। ୭୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ସୋନାକ୍ଷୀ ‘ଫରଏଭର୍ ମିସ୍ ଟିନ୍ ଇଣ୍ଡିଆ-୨୦୨୪’ରେ ଫାଷ୍ଟ ରନର୍ସ-ଅପ୍ ଟାଇଟଲ୍ ହାତେଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ଭାଗ ନେଇଥିବା ପ୍ରାୟ ୭୦ ଜଣଙ୍କୁ ପ୍ରଥମେ ଚୟନ କରାଯାଇଥିଲା । ସେଥି ମଧ୍ୟରୁ ୩୦ ଜଣ ସିଲେକ୍ଟ ହେବା ପରେ ୩ ଜଣ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ସୋନାକ୍ଷୀ ଉତ୍ତରପ୍ରଦେଶର ରୁଚିକା ୱାଲଡେଙ୍କୁ ପଛରେ ପକାଇ ଫାଷ୍ଟ ରନର୍ସ ଟାଇଟଲ ହାତେଇଛନ୍ତି।

ମିସ ଟିନ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି କୋଲକାତାର ପ୍ରତୀକ୍ଷା ଦାସ। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ ସୋନାକ୍ଷୀ ସମସ୍ତଙ୍କ ଠାରୁ କମ୍ ବୟସର ହୋଇଥିବା ବେଳେ, ସେ ବର୍ତ୍ତମାନ ମାଲକାନଗିରି ଆଇଏମଏସଟି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଡ଼ୁଛନ୍ତି। କେବଳ ମିସ୍ ଟିନ୍ ଇଣ୍ଡିଆ ନୁହେଁ ବରଂ ସୋନାକ୍ଷୀ ପ୍ରିସେନ୍ସ କୋରାପୁଟ ୨୦୨୪, ଫରଇଭର ମିସ୍ ଟିମ୍ କୋରାପୁଟ ୨୦୨୪ ସହ କର୍ମସିଆଲ ମଡେଲରେ ଆମାଜନ , ଫ୍ଲିପକାର୍ଟ , ମେସୋ , ସ୍ନାପ୍ ଡିଲ୍ ଓ ପବ୍ଲିସଡ୍ ଇନ୍ ଦୁବାଇ ଇଣ୍ଟରନ୍ୟାସନାଲ ମାଗାଜିନ ଭଳି ବହୁ ଅନ୍ତର୍ଜାତୀୟ ସଂସ୍ଥା ପାଇଁ ମଡେଲିଙ୍ଗ କରିଛନ୍ତି।

ସୋନାକ୍ଷୀ ତାଙ୍କର ଏହି ସଫଳତାର ଶ୍ରେୟ ନିଜ ବାପା ମାଆଙ୍କୁ ଦେଇଛନ୍ତି । ତାଙ୍କର ଆଶୀର୍ବାଦ ଓ ନିଜର ପରିଶ୍ରମ ଯୋଗୁଁ ଆଜି ସେ ଏ ସଫଳତା ପାଇଥିବା କହିଛନ୍ତି ଏବଂ ଆଗକୁ ମିସ ୟୁନିଭର୍ସ ପାଇଁ ପ୍ରଚେଷ୍ଟା କରିବାକୁ ଦୃଢ ଆଶା ରଖିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *