ନୂଆଦିଲ୍ଲୀ: ଶହୀଦ ‘ଫାଣ୍ଟମ’ ପାଇଲା ସାହସିକତା ପୁରସ୍କାର । ଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଫାଣ୍ଟମ ପାଇଛି ଏହି ସାହସିକତା ପୁରସ୍କାର । ଆତଙ୍କବାଦୀଙ୍କ ସହ ଲଢୁଥିବା ବେଳେ ଭାରତୀୟ ସେନାର କୁକୁର ‘ଫାଣ୍ଟମ୍’ ହୋଇଥିଲା ଶହୀଦ । ଗତ ବର୍ଷ ଅକ୍ଟୋବରରେ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ଫାଣ୍ଟମ୍ ଶହୀଦ ହୋଇଥିଲା।
ବେଲଜିୟମ ମାଲିନୋଇସ୍ ପ୍ରଜାତିର ଏହି କୁକୁରଟି ୨୦୨୦ ମେ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲା । ୨୦୨୨ ମସିହା ଅଗଷ୍ଟ ୧୨ ତାରିଖରେ ସେନାରେ ନିୟୋଜିତ ହୋଇଥିଲା। ଗତ ବର୍ଷ ଅକ୍ଟୋବରରେ ସୁନ୍ଦରବନି ସେକ୍ଟରର ଅଖନୁରରେ ସେନା ଗାଡ଼ି ଉପରକୁ ଆତଙ୍କବାଦୀ ହମଲା କରିଥିଲେ। ଫାଣ୍ଟମ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଟ୍ରେଲ ଟ୍ରାକ୍ କରିବାରେ ଫାଣ୍ଟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଫାଣ୍ଟମ୍ ଲୁକ୍କାୟିତ ବିସ୍ଫୋରକ ଚିହ୍ନଟ କରି ସମ୍ଭାବ୍ୟ ପଳାୟନ ମାର୍ଗ ଚିହ୍ନଟ କରି ସୈନ୍ୟମାନଙ୍କୁ ଅବରୋଧକୁ ଦୃଢ଼ କରିବାରେ ସାହାଯ୍ୟ କରିଥିଲା। ଅପରେସନରେ ଫାଣ୍ଟମ୍ ଭାରତୀୟ ସେନାକୁ ସମର୍ଥନ କରିଥିଲା ଏବଂ ଶତ୍ରୁମାନଙ୍କ ଟାର୍ଗେଟରେ ଆସିଥିଲା। ଏହି ଅପରେସନ୍ ସମୟରେ ଆଗରେ ଥିଲା ଫାଣ୍ଟମ । ଆତଙ୍କବାଦୀମାନେ ପ୍ରଥମେ ତା ଉପରେ ଗୁଳି ଚଳାଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲା । ଫାଣ୍ଟମ ଶହୀଦ ହେବା ପରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଥିଲା।
ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ସହଜ ନୁହେଁ। ତାଙ୍କୁ ଅନେକ ପର୍ଯ୍ୟାୟରେ ଟ୍ରେନିଂ ଦେଇ ଯିବାକୁ ପଡ଼ିଥାଏ। ଭାରତୀୟ ସେନାରେ କୁକୁରଙ୍କ ଭର୍ତ୍ତି ଲାଗି ଅନେକ ପ୍ରକ୍ରିୟା ରହିଛି। ସେମାନଙ୍କୁ ବୁଦ୍ଧିମତା, ଫୁର୍ତ୍ତି, ଅନୁଶାସନପ୍ରିୟତା ଆଧାରରେ ଚୟନ କରାଯାଇଥାଏ। ଯେମିତିକି ଗ୍ରେଟ୍ ସ୍ୱିସ୍ ମାଉଣ୍ଟେନ, ଜର୍ମାନ ଶେଫଡ୍, ବେଲ୍ଜିଅନ୍ ମାଲିନୋଇସ୍, ଲାବ୍ରାଡୋର ରିଟ୍ରିଭର୍ସ, ଲାବ୍ରାଡୋର ଆଦିକୁ ସେନାରେ ସାମିଲ କରାଯାଇଛି। ଦୀର୍ଘଦିନରୁ ଭାରତୀୟ ସେନାରେ ବିଦେଶୀ ପ୍ରଜାତିର କୁକୁରଙ୍କୁ ସାମିଲ କରିବାର ପରମ୍ପରା ରହିଛି। ହେଲେ ୨୦୧୭ରେ ସେନାରେ ଭାରତୀୟ ପ୍ରଜାତିର କୁକୁରଙ୍କୁ ସାମିଲ କରାଯିବା ଆରମ୍ଭ ହୋଇଛି। ଟ୍ରେନିଂ ସମୟରେ କୁକୁରଙ୍କ ବିଶ୍ୱସନୀୟତା ଏବଂ ଯୁଦ୍ଧ କୌଶଳକୁ ପ୍ରଖର କରାଯାଏ। ଏହାପରେ ସେମାନେ ସେନାରେ ସାମିଲ ହେବାର ଯୋଗ୍ୟ ହୁଅନ୍ତି।