୨୦୨୭ ଡିସେମ୍ବର ସୁଦ୍ଧା ସରିବ ମେଟ୍ରୋ କାମ

ଭୁବନେଶ୍ୱର: ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ। ପ୍ରଥମେ ୨୬ କି.ମିରେ ମେଟ୍ରୋ ଚଳାଚଳ ଆରମ୍ଭ ହେବ । ଆରମ୍ଭରୁ ଲୋକଙ୍କୁ ୧୩ଟି ଟ୍ରେନ୍‌ରେ ଏହି ସେବା ମିଳିବ। ପ୍ରତ୍ୟେକ ଟ୍ରେନ୍‌ରେ ୩ଟି ଲେଖାଏଁ କୋଚ୍ ରହିବ। ପ୍ରତ୍ୟେକ ଦିନ ୯୫ ହଜାର ଲୋକ ଯିବାର କ୍ଷମତା ରହିବ । ଏପରିକି ୨୦ଟି ଷ୍ଟେଶନରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ବାର୍ତ୍ତା ରହିବ । ମେଟ୍ରୋ ଟ୍ରେନ୍ ନେଇ ସମୀକ୍ଷା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।

ଅପରାଜିତା ଆହୁରି କହିଛନ୍ତି ଯେ, ରାଜଧାନୀବାସୀଙ୍କୁ ପ୍ରତ୍ୟେକ ୧୦ ମିନିଟରେ ମେଟ୍ରୋ ଟ୍ରେନ୍ ସେବା ଯୋଗାଇ ଦିଆଯିବ। ପ୍ରକଳ୍ପ ପାଇଁ ଆବଶ୍ୟକୀୟ ୯୨ ଏକର ଜମି ମିଳି ସାରିଛି। ଆଉ ୧୫ ଏକର ଖୁବଶୀଘ୍ର ଯୋଗାଇ ଦିଆଯିବ। ପ୍ରକଳ୍ପ ନେଇ ମୋଟ ୬ ହଜାର ୨୫୬ କୋଟି ଟଙ୍କା ଖର୍ଚ୍ଚ ନେଇ ଆକଳନ ହୋଇଛି। ପ୍ରଥମ ପର୍ଯ୍ୟାୟ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପରେ କେନ୍ଦ୍ରର ସହାୟତା ଦରକାର କି ନାହିଁ ଜଣାଯିବ ବୋଲି କହିଛନ୍ତି।

ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପର କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି। ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍ କାମ ଆରମ୍ଭ ହେବ। ଭୁବନେଶ୍ୱରରେ ଭୂପୃଷ୍ଠରୁ ୧୩ ଫୁଟ୍ ଉଚ୍ଚରେ ମେଟ୍ରୋ ରେଳ ଗଡ଼ିବ। ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଆବଶ୍ୟକତା ଅନୁଯାଇ ହେବ ବୋଲି ଭୁବନେଶ୍ୱର ମେଟ୍ରୋ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌? ପ୍ରକଳ୍ପ ପାଇଁ ତତ୍‌?କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜାନୁଆରି ପହିଲାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ସଂପ୍ରସାରଣ ହେବ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ । ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ରହିବ। ପରବର୍ତ୍ତୀ ସମୟରେ ଖୋର୍ଦ୍ଧା ଓ କଟକ ସହ ଭୁବନେଶ୍ୱର ଓ କଟକ ସହର ଅନ୍ୟ ଅଂଚଳରେ ଚଳାଚଳ କରିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *