ଜିଲ୍ ବାଇଡେନ୍‌ଙ୍କୁ ୧୭ ଲକ୍ଷ ଟଙ୍କାର ହୀରା ଉପହାର ଦେଇଥିଲେ ମୋଦି

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍ ବାଇଡେନ୍‌ଙ୍କୁ ହୀରା ଉପହାର ଦେଇଥିଲେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୨୩ରେ ମୋଦି ଆମେରିକା ଗସ୍ତବେଳେ ସେଠାକାର ରାଷ୍ଟ୍ରପତିଙ୍କ ସ୍ତ୍ରୀ ଜିଲ୍ ବାଇଡେନ୍‌ଙ୍କୁ ୨୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ୧୭.୧୫ ଲକ୍ଷ ଟଙ୍କା ମୂଲ୍ୟର ଏକ ହୀରା ଉପହାର ଦେଇଥିଲେ। ଲାବ୍‌ରେ ପ୍ରସ୍ତୁତ ତଥା ସୁରଟ୍‌ରେ ପଲିଶ୍ କରାଯାଇଥିବା ୭.୫ କ୍ୟାରେଟ୍‌ର ଏହି ସବୁଜ ହୀରାକୁ କାଗଜ ମଣ୍ଡରେ ତିଆରି ଏକ ବକ୍ସ ‘ର୍କ-ଏ-କାଲାମଦାନି’ରେ ରଖାଯାଇଛି।

ଅଫିସ୍ ଅଫ୍ ଦି ଚିଫ୍ ଅଫ୍ ପ୍ରୋଟୋକଲ ପକ୍ଷରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦି ୨୦୨୩ ଜୁନ୍‌ରେ ଆମେରିକାକୁ ପ୍ରଥମ ସରକାରୀ ଗସ୍ତରେ ଯାଇଥିଲେ । ସେଠାରେ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ତାଙ୍କୁ ଆପ୍ୟାୟିତ କରିଥିଲେ। ମୋଦି ଭାରତ ସରକାରଙ୍କ ପକ୍ଷରୁ ଜୋ ବାଇଡେନ୍‌ଙ୍କୁ ଚନ୍ଦନକାଠରେ ନିର୍ମିତ ଏକ ବକ୍ସ ଉପହାର ଦେଇଥିଲେ। ସେଥିରେ ଗଣେଶଙ୍କ ମୂର୍ତ୍ତି, ଦୀପ ଓ ‘ଦଶ ଦାନମ୍‌’ ରହିଥିଲା। ସେହିପରି ‘ଦି ଟେନ୍ ପ୍ରିନ୍ସିପାଲ ଉପନିଷଦ୍‌ସ’ ଶୀର୍ଷକ ପୁସ୍ତକର ପ୍ରଥମ ସଂସ୍କରଣରୁ ଗୋଟିଏ କପି ମଧ୍ୟ ଜିଲ୍‌ଙ୍କୁ ମୋଦି ଦେଇଥିଲେ। ବାଇଡେନ୍ ଦମ୍ପତି ଏହା ବଦଳରେ ମୋଦିଙ୍କୁ ହାତରେ ତିଆରି ଏକ ଆମେରିକୀୟ ପ୍ରାଚୀନ ପୁସ୍ତକ, କ୍ୟାମେରା ଏବଂ ରୋବର୍ଟ ଫ୍ରୋଷ୍ଟଙ୍କ କବିତା ସଙ୍କଳନ ଉପହାର ଦେଇଥିଲେ।

ପ୍ରଧାନମନ୍ତ୍ରୀ ଜିଲ୍‌କୁ ଦେଇଥିବା ହୀରା ଉପହାରକୁ ସେ ବ୍ୟବହାର କରିପାରିବେ ନାହିଁ। ଆସନ୍ତା ୨୦ରେ ବାଇଡେନ୍ ଦମ୍ପତି ହ୍ୱାଇଟ୍ ହାଉସ୍ ଛାଡ଼ିବା ପୂର୍ବରୁ ଏହାକୁ ହସ୍ତାନ୍ତର କରିବା ପରେ ନ୍ୟାଶନାଲ ଆର୍କାଇଭ୍ସରେ ରଖାଯିବ। ଜିଲ୍ ଚାହିଁଲେ ଏହାକୁ କିଣିପାରିବେ। କାରଣ ଆମେରିକାର ଆଇନ ଅନୁସାରେ ୪୮୦ ଡଲାରରୁ ଅଧିକ ମୂଲ୍ୟର ବିଦେଶୀ ଉପହାରକୁ ରାଷ୍ଟ୍ରପତି କିମ୍ବା ତାଙ୍କ ସ୍ତ୍ରୀ କିଣିବା ଉପରେ କଟକଣା ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *