ନୂଆଦିଲ୍ଲୀ: ଜଣେ ପ୍ରାର୍ଥୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଥରେ କି ଦୁଇ ଥର ନୁହେଁ ତିନିଥର ପାଦ ଛୁଇଁ ପ୍ରଣାମ କଲେ ମୋଦି । ସେଠାରେ ଉପସ୍ଥିତ ଥିବା ଅନ୍ୟ ନେତା ଓ ଜନସାଧାରଣ ଏପରି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ନେତା ଜଣକ କିଏ ଯେ, ଯାହାଙ୍କ ପାଦ ପ୍ରଧାନମନ୍ତ୍ରୀ ତିନିଥର ସ୍ପର୍ଶ କରିଥିଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରାୱଲ ନଗର ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲି କରିଥିଲେ। ଏହି ସମୟରେ ସେ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ରାଲିରେ ଯୋଗଦେବା ପାଇଁ ଯେତେବେଳେ ମଞ୍ଚ ଉପରେ ପହଞ୍ଚିଥିଲେ, ସେତେବେଳେ ପାଟପଡଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ତାଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ତିନିଥର ରବିନ୍ଦ୍ର ନେଗିଙ୍କ ପାଦ ଛୁଇଁଲେ।
ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ପଚାରୁଛନ୍ତି ଯେ ରବିନ୍ଦ୍ର ସିଂ ନେଗି କିଏ, ଯାହାଙ୍କ ପାଦ ପ୍ରଧାନମନ୍ତ୍ରୀ ତିନିଥର ସ୍ପର୍ଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି କରିବା ଦେଖି ସେଠାରେ ଉପସ୍ଥିତ ନେତାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏପରିକି ବିଜେପି ପ୍ରାର୍ଥୀ ରବିନ୍ଦ୍ର ନେଗି ନିଜେ ଅସହଜ ହୋଇଗଲେ। ସତ କଥା ହେଉଛି କି ମୋଦି ତଳକୁ ୩ଥର ନଇଁଥିଲେ, ଯାହାକୁ ଦେଖିବା ପରେ ଲୋକେ ଭାବିଥିଲେ କି ମୋଦି ରବିନ୍ଦ୍ର ସିଂଙ୍କ ପାଦ ଛୁଇଁଛନ୍ତି। ରବିନ୍ଦ୍ର ସିଂ ନେଗି ହେଉଛନ୍ତି ସେହି ନେତା ଯିଏ ଗତ ନିର୍ବାଚନରେ ପାଟପଡଗଞ୍ଜ ଆସନରେ ମନୀଷ ସିସୋଡିଆଙ୍କୁ କଡ଼ା ଟକ୍କର ଦେଇଥିଲେ। ସିସୋଡିଆ ବହୁତ କଷ୍ଟରେ ଏହି ଆସନ ଜିତିପାରିଥିଲେ। ଏହି ନିର୍ବାଚନରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଡିଆ ତାଙ୍କ ଆସନ ପରିବର୍ତ୍ତନ କରିଛନ୍ତି। ଏଥର ସେ ଜଙ୍ଗପୁରା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ଏହି ଆସନ ପାଇଁ ଶିକ୍ଷାବିତ୍ ଅବଧ ଓଝାଙ୍କୁ ଟିକେଟ ଦିଆଯାଇଛି। ରବିନ୍ଦ୍ର ସିଂ ନେଗି ଅବଧ ଓଝାଙ୍କ ବିପକ୍ଷରେ ଜଣେ ଦୃଢ଼ ପ୍ରାର୍ଥୀ।
ଉତ୍ତରାଖଣ୍ଡର ମୂଳ ବାସିନ୍ଦା ରବିନ୍ଦ୍ର ସିଂ ନେଗି ବର୍ତ୍ତମାନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ସଦସ୍ୟ। ସେ ବିନୋଦ ନଗର ୱାର୍ଡ-୧୯୮ର ଜଣେ କାଉନସିଲର। ବିନୋଦ ନଗର ୱାର୍ଡ ପାଟପଡଗଞ୍ଜ ବିଧାନସଭା ଆସନ ଅଧୀନରେ ପଡ଼ିଥାଏ। ରବିନ୍ଦ୍ର ନେଗି ପାଟପଡଗଞ୍ଜ ଅଞ୍ଚଳର ଏକ ପ୍ରସିଦ୍ଧ ନାମ। ସିସୋଡିଆଙ୍କୁ ଏତେ କଡ଼ା ଟକ୍କର ଦେଇ ସେ ଜାତୀୟ ସ୍ତରରେ ଚର୍ଚ୍ଚାରେ ଅଛନ୍ତି। ନେଗିଙ୍କର ଆରଏସଏସରେ ମଧ୍ୟ ଭଲ ପ୍ରଭାବ ଅଛି ଏବଂ ସେ ଏହି କ୍ଷେତ୍ରରେ ଭିସ୍ତାରକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।