ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏଠାରେ ୪୮ଘଣ୍ଟିଆ ଅବସ୍ଥାନ ସମୟରେ ପ୍ରଧାନମନ୍ତ୍ରୀ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ରାଜ୍ୟରେ ଏହି ସମୟ ଭିତରେ ଶାହା ମଧ୍ୟ ରହିବେ। ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଆସନ୍ତା ୨୯ ତାରିଖ ଅପରାହ୍ନ ୪ଟା ୨୦ରେ ବିମାନବନ୍ଦର ରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି। ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ବିମାବନ୍ଦରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ୫ଟାରୁ ରାଜଭବନ ଅଭିମୁଖେ ଗସ୍ତ କରିବେ। ୫ଟା ୧୫ରୁ ୬ଟା ୧୫ ପର୍ଯ୍ୟନ୍ତ ରାଜଭବନରେ ରହିବେ। ୬ଟା ୨୦ରୁ ରାଜଭବନରୁ ବାହାରି ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ସେଠାରେ ଦଳର ବିଧାୟକ, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ଏମ୍ପିମାନଙ୍କ ସହ ବୈଠକ କରିବେ। ଏହି ସମୟରେ ସେ ଉଭୟ ଦଳ ଓ ସରକାରୀ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିବେ। ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ରାତ୍ରିଭୋଜନ କରିବେ। ୮ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟରୁ ବାହାରି ୮ଟା ୪୫ରେ ରାଜଭବନରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ କରିବେ।
ସେହିପରି ୩୦ ତାରିଖ ସକାଳ ୮ଟା ୩୦ରେ ରାଜଭବନରୁ ବାହାରିବେ ପ୍ରଧାନମନ୍ତ୍ରୀ । ସେଠାରୁ ସିଧାସଳଖ ଲୋକସେବା ଭବନ କନ୍ଭେନସନ ସେଣ୍ଟରଠାରେ ଆୟୋଜିତ ଡିଜିପି ସମ୍ମିଳନୀରେ ଯୋଗଦେବେ। ସେଠାରେ ସେ ରାତି ୮ଟା ପର୍ଯ୍ୟନ୍ତ ରହିବେ। ପରେ ସେ ରାଜଭବନ ଯିବେ।
ସେହିପରି ୧ ତାରିଖ ସକାଳ ୮ଟା ୨୫ରେ ରାଜଭବନରୁ ବାହାରି ୮ଟା ୩୦ରେ ଡିଜିପି ସମ୍ମିଳନୀରେ ଯୋଗଦେବେ। ୪ଟା ୧୫ ପର୍ଯ୍ୟନ୍ତ କନ୍ଭେନସନ ସେଣ୍ଟରଠାରେ ରହିବେ। ୪ଟା ୩୦ରେ ସେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୯ ତାରିଖ ମଧ୍ୟାହ୍ନରେ ଓଡ଼ିଶା ଗସ୍ତରେ ଆସି ଡିଜିପି ସମ୍ମିଳନୀକୁ ଉଦ୍ଘାଟନ କରିବେ। ଶାହା ମଧ୍ୟ ୩ ଦିନ ଧରି ଓଡ଼ିଶାରେ ରହିବେ।