ନୂଆଦିଲ୍ଲୀ: ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ଖୁସି ଖବର । ଅଚାନକ ଦଳରେ ଏଣ୍ଟ୍ରି କରିଛନ୍ତି ଦଳର ଷ୍ଟାର ବୋଲର ମହମ୍ମଦ ଶାମୀ । ଖୁବଶୀଘ୍ର ତାଙ୍କୁ ଭାରତୀୟ ଜର୍ସିରେ ଦେଖିବାକୁ ମିଳିବ । ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି । ଏହା ପୂର୍ବରୁ ଟିମ ଇଣ୍ଡିଆକୁ ମିଳିଛି ଏହି ଖୁସି ଖବର । ଦଳର ଷ୍ଟାର ବୋଲର ଶାମୀ ଏବେ ପୁରା ଫିଟ୍ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜ ପାଇଁ ଭାରତ ଦଳ ଘୋଷଣା କରିସାରିଛି ।
ବର୍ତ୍ତମାନ ଶାମୀଙ୍କୁ ଫିଟ୍ ବୋଲି ଘୋଷଣା କରାଯାଇଛି । ଆହତ ସମସ୍ୟାରୁ ବାହାରି ବୋଲିଂ ଅଭ୍ୟାସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଫିଟ୍ ଘୋଷଣା ହେବା ପରେ ଶାମୀଙ୍କୁ ରଣଜୀ ଟ୍ରଫି ପାଇଁ ଦଳରେ ବେଙ୍ଗଲ ଦଳରେ ସାମିଲ କରାଯାଇଛି । ତେବେ ଜାନୁୟାରୀ ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିରେ ମଧ୍ୟପ୍ରଦେଶ ବିପକ୍ଷରେ ସେ ପ୍ରଥମ ମ୍ୟାଚ୍ ଖେଳିବେ ବୋଲି ଜାଣିବାକୁ ମିଳିଛି । ଶାମୀଙ୍କ ଉପସ୍ଥିତି ବେଙ୍ଗଲ ଦଳର ବୋଲିଂ ୟୁନିଟକୁ ଆହୁରି ମଜବୁତ କରିବ । ଏହାସହିତ ଶାମୀ ଦଳରେ ସାମିଲ ହେବା ଦ୍ୱାରା ସମ୍ପୂର୍ଣ୍ଣ ଟିମକୁ ଏକ ଉତ୍ସାହ ଭରିବା ସହ ସେମାନଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପ୍ରୋତ୍ସାହନ କରିବ । ତେବେ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କଲେ, ତାଙ୍କୁ ଭାରତୀୟ ଦଳରେ ମଧ୍ୟ ସାମିଲ କରାଯାଇପାରେ । ରଣଜୀ ଟ୍ରଫିରେ କମବ୍ୟାକ ସହ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଶାମୀଙ୍କୁ ସ୍ଥାନ ମିଳିବାର ଆଶା ମଧ୍ୟ ବୃଦ୍ଧି ପାଇଛି ।
ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ୭ଟି ୱିକେଟ ସହ ମୋଟ ୨୪ଟି ୱିକେଟ ହାସଲ କରିଥିଲେ ଶାମୀ । ତେବେ ଟେଷ୍ଟ କ୍ରିକେଟରେ ସେ ମୋଟ ୬୪ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୨୨୯ଟି ୱିକେଟ ନିଜ ନାମରେ କରିଛନ୍ତି । ତେଣୁ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ହରାଇବା ପାଇଁ ଶାମୀଙ୍କ ଭଳି ଘାତକ ବୋଲରଙ୍କ ସନ୍ଧାନରେ ରହିଥିଲା ଟିମ ଇଣ୍ଡିଆ ।