ହାଇଦ୍ରାବାଦ: ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ଶୋଭିତା ଧୂଲିପାଲା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମାନେ ତେଲୁଗୁ ବ୍ରହ୍ମଣ ରୀତିନୀତିରେ ବୁଧବାର ବିବାହ କରିଛନ୍ତି। ଏହି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ତାଙ୍କ ବିବାହ ହାଇଦ୍ରାବାଦର ଆଇକନିକ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହୋଇଛି। ଏହି ବିବାହ ଉତ୍ସବରେ ତାଙ୍କର ଅନେକ ଘନିଷ୍ଠ ସଂପର୍କୀୟ ଓ ବନ୍ଧୁମାନେ ଉପସ୍ଥିତ ଥିଲେ।
ଶୋଭିତା କାଞ୍ଜିବରମ ସିଲ୍କ ଶାଢି ଓ ସୁନାର ପାରମ୍ପରିକ ଆଭୂଷଣରେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଅନ୍ୟପଟେ ନାଗା ଚୈତନ୍ୟ ନିଜ ଦାଦା ଅକ୍କିନେନି ନାଗେଶ୍ଵର ରାଓଙ୍କ ଧଳା ପାଞ୍ଚା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଏହି ବିବାହ ସମାରୋହରେ ଚିରଞ୍ଜିବୀ ଓ ତାଙ୍କ ପୁଅ ରାମ ଚରଣ ମଧ୍ୟ ଯୋଗ ଦେଇଥିଲେ।
ସୋସିଆଲ ମିଡିଆରେ ଉଭୟଙ୍କ ବିବାହ ଫଟୋ ଅଭିନେତା ତଥା ଶଶୁର ନାଗାର୍ଜୁନ ସେୟାର କରିଛନ୍ତି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ଫଟୋରେ ଶୋଭିତା କାଞ୍ଜିବରମ ସିଲ୍କ ଶାଢୀ ଓ ସୁନାର ପାରମ୍ପରିକ ଆଭୂଷଣ ପିନ୍ଧିଥିବା ବେଳେ ନାଗା ଚୈତନ୍ୟ ଧଳା ରଙ୍ଗର ଧୋତି ପଞ୍ଜାବି ପିନ୍ଧିଥିବା ଦେଖିବାକୁ ମିଳିଛି। ଫଟୋ ସେୟାର କରି ନାଗାର୍ଜୁନ ଲେଖିଛନ୍ତି, ଜୀବନର ଏକ ସୁନ୍ଦର ଅଧ୍ୟାୟ ଆରମ୍ଭ କାରିବାକୁ ଯାଉଥିବା ଶୋଭିତା ଏବଂ ନାଗାଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ । ଏହି ମୁହୂର୍ତ୍ତ ମୋ ପାଇଁ ଅତି ଭାବପ୍ରବଣ ମୁହୂର୍ତ୍ତ ଥିଲା । ମୋର ପ୍ରିୟ ପୁଅ-ବୋହୁଙ୍କୁ ମୋ ପରିବାରକୁ ସ୍ୱାଗତ ।
ସୂଚନାଯୋଗ୍ୟ ନାଗା ଚୈତନ୍ୟ ପୂର୍ବରୁ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ । ସାମନ୍ଥା ଏବଂ ନାଗା ପ୍ରଥମ ଥର ପାଇଁ ୨୦୧୦ରେ ଗୌତମ ମେନନଙ୍କ ୟେ ମାୟା ଚେସାଭଙ୍କ ସେଟରେ ସାକ୍ଷାତ ହୋଇଥିଲେ । ଯାହାପରେ ଉଭୟ ୨୦୧୭ ଅକ୍ଟୋବରରେ ବିବାହ କରିଥିଲେ । ଆଉ ୨୦୨୧ରେ ହୋଇଥିଲେ ଅଲଗା । ତେବେ ବିବାହ ବିଚ୍ଛେଦ ପରେ ନାଗା ଅଭିନେତ୍ରୀ ଶୋଭିତା ଧୂଲିପାଲାଙ୍କୁ କରୁଥିଲେ ଡେଟ । ଆଉ ଦୀର୍ଘ ଦିନର ଡେଟ୍ ପରେ ଶେଷରେ ଉଭୟେ ବିବାହ କରିଛନ୍ତି ।