ସ୍ୱାମୀ ଜେଲରେ, ନିର୍ବାଚନରେ ବାଜିମାତ କରିଲେ ସ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାମୀ ଜେଲରେ । ହେଲେ ଗଡ଼ ଜିତିଛନ୍ତି ତାଙ୍କ ସ୍ତ୍ରୀ । ଏପରି ଦେଖିବାକୁ ମିଳିଛି କାନପୁରରେ । ସମାଜବାଦୀ ପାର୍ଟି ପ୍ରାର୍ଥୀ ନସୀମ ସୋଲାଙ୍କୀ ବହୁମତ ହାସଲ କରି ନିର୍ବାଚନରେ ବାଜିମାତ କରିଛନ୍ତି । କାନପୁରର ସୀସାମଉ ସିଟ୍ ଉପରେ ଥିଲା ସମସ୍ତଙ୍କ ନଜର । ଆଜି ସେ ଆସନରୁ ନିର୍ବାଚନ ଗଡ ଜିତି ସମସ୍ତଙ୍କୁ ଚକିତ କରିଛନ୍ତି ନସୀମ ସୋଲାଙ୍କୀ ।

ଏହି ଆସନ ସମାଜବାଦୀ ପାର୍ଟିର ଗଡ । ଏଠାରୁ ନସୀମ ସୋଲାଙ୍କୀଙ୍କ ସ୍ୱାମୀ ଇରଫାନ୍ ସୋଲାଙ୍କୀ ଥିଲେ ବିଧାୟକ । ହେଲେ ଇରଫାନଙ୍କୁ ଦଣ୍ଡାଦେଶ ହେବା ପରେ ତାଙ୍କର ବିଧାନସଭା ସଦସ୍ୟ ପଦ ରଦ୍ଦ ହୋଇଗଲା । ଏହାପରେ ସିସାମଉ ସିଟ ପାଇଁ ଉପନିର୍ବାଚନ ହେଲା । ଏଥିପାଇଁ ଅଖିଲେଶ ଯାଦବ ଇରଫାନଙ୍କ ପତ୍ନୀ ନସୀମ ସୋଲାଙ୍କୀଙ୍କୁ ଟିକେଟ ଦେଲେ । ହେଲେ ତାଙ୍କର ପ୍ରତିଦ୍ୱନ୍ଦ୍ୱି ଭାବେ ଛିଡାହେଲେ ବିଜେପିର ସୁରେଶ ଅବସ୍ତି । ଦୁହିଁଙ୍କ ମଧ୍ୟରେ ହେଲା କଡା ଟକ୍କର । ଶେଷରେ ଜିତିଲେ ନସୀମ ।

ନସୀମଙ୍କ ନିର୍ବାଚନ ପ୍ରଚାର ପାଇଁ ଦାୟିତ୍ୱ ନେଲେ ଅଖିଳେଶଙ୍କ ପତ୍ନୀ ଡିମ୍ପଲ ଓ ସପା ମହାସଚିବ ଶିବପାଲ ଯାଦବ । ନିର୍ବାଚନ ପ୍ରଚାରରେ ସ୍ୱାମୀଙ୍କ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖକୁ ଗଲେ । ତାଙ୍କ ସ୍ୱାମୀଙ୍କ ପ୍ରତି ଅନ୍ୟାୟ ହୋଇଛି । ତାଙ୍କୁ ଜୋରଜବଦସ୍ତି ଜେଲରେ ରଖାଯାଇଛି ବୋଲି କହିଲେ । ଇରଫାନଙ୍କ ବିରୋଧରେ ସବୁଠୁ ବଡ ଷଡଯନ୍ତ୍ର ହୋଇଛି । ତାଙ୍କୁ ନିଜ ଲୋକଙ୍କ ପାଇଁ କାମ କରିବାରୁ ଦୂରେଇଦିଆଯାଇଛି ବୋଲି କହିଲେ ନସୀମ । ଏଥିରେ ନସୀମଙ୍କୁ ଜୋରଦାର ସମର୍ଥନ କରିଥିଲେ ସଂଖ୍ୟାଲଘୁ ଭୋଟର ।

ପ୍ରଚାର ସମୟରେ ନସୀମ ବନଖଣ୍ଡେଶ୍ୱର ମନ୍ଦିରକୁ ଯାଇ ଶିବ ଲିଙ୍ଗକୁ ଜଳାଭିଷେକ କରିଥିଲେ । ଏଥିରେ ତାଙ୍କୁ ଘୋର ବିରୋଧ କରିଥିଲେ କଠୋରପନ୍ଥୀ ସଂଖ୍ୟାଲଘୁ ଗୋଷ୍ଠୀ । ହେଲେ ନରମପନ୍ଥୀ ମୁସଲମାନ ଗୋଷ୍ଠୀ ତାଙ୍କୁ ବିପୁଳ ସମର୍ଥନ କରିଥିଲେ । ଶେଷରେ ଲୋକଙ୍କ ସମର୍ଥନ ନସୀମଙ୍କୁ ବିଜୟୀ କରାଇଦେଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *